ଶୌଚ ହେବାକୁ ଯାଇ ଗୋବରୀ ନାଳରେ ବୁଡ଼ି ଯୁବକ ମୃତ
ନାଉଗାଁ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବାଂଶ ଗ୍ରାମର ଜଣେ ଯୁବକ ଗୋବରୀ ନାଳରେ ବୁଡ଼ି ମୃତ୍ୟୁବରଣ କରିଥିବା ନେଇ ଶନିବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୃତକ ହେଲେ ଗ୍ରାମର ସଂଜୟ ସ୍ବାଇଁ (୪୦)। ମୃତକଙ୍କ ବାପା ସନ୍ତୋଷ ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧୭ ତାରିଖରେ ସଂଜୟ ଘରୁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ।ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ଶନିବାର ବାବା ସାଧୁ ଗୋସ୍ବାମୀ ମଠବଣ ନିକଟ ଗୋବରୀ ନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନାଉଗାଁ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରିବାର ଲୋକେ ମୃତଦେହଟି ସଂଜୟଙ୍କର ବୋଲି ଚିହ୍ନଟ କରିଥିଲେ। ଏନେଇ ନାଉଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି। ସଂଜୟଙ୍କ ବିଧବା ପତ୍ନୀ ଓ ଏକ ପୁତ୍ର ଅଛନ୍ତି। ତହସିଲ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ମୃତକଙ୍କ ବାପା ସନ୍ତୋଷ ସ୍ବାଇଁଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ତହସିଲଦାର ଅକ୍ଷୟ ବଡୁ ଓ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡ଼ା ଏହି ସହାୟତା ପ୍ରଦାନ କରିଥିଲେ।


