ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞା ପାରମିତା ରାଉଳ ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତିି। ଦଣ୍ଡିତ ଅଭିଯୁକ୍ତ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାଂକ୍ରୁପା ଗ୍ରାମର ଗୌରାଙ୍ଗ ସେଠୀ(୫୮)। ଘଟଣାର ବିବରଣୀ ଅନୁଯାୟୀ୨୦୨୩ ମସିହାରେ ନାବାଳିକା ଜଣକ ଗ୍ରାମ ନିକଟସ୍ଥ ବଜାରରୁ ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ବାଟରେ ଅଟକାଇ ଅଭିଯୁକ୍ତମାନେ ଘରକୁ ଡାକି ନେଇ ମୁହଁ ବନ୍ଦ କରି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ ଏବଂ କାହାକୁ କହିଲେ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଉକ୍ତ ଘଟଣାରେ ନାବାଳିକା ଜଣକ ଘଟଣାର ପ୍ରାୟ ୬ ମାସ ପରେ ଅସୁସ୍ଥ ହୋଇପଡିଥିଲେ। ପିଡିତାଙ୍କୁ ଡାକ୍ତରଖାନାରେ ପରୀକ୍ଷା କରାଇବା ପରେ ସେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ପରିବାର ପକ୍ଷରୁ ୨୦୨୩ ମସିହା ସେପ୍େଟମ୍ବର ୯ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଭିତ୍ତି କରି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ କେସ୍ ନଂ ୪୮୧/୨୦୨୩ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିବା ପରେ ମକଦମାର ବିଚାର ଆରମ୍ଭ ହୋଇଥିଲା। ସେହି ମକଦ୍ଦମାର ବିଚାର ସମୟରେ କୋର୍ଟ ୧୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ପୋକ୍ସୋ ଆକ୍ଟର ଧାରା ୬ ଅଧିନରେ ଅଭିଯୁକ୍ତ ଗୌରାଙ୍ଗ ସେଠୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାମରେ ମକଦ୍ଦମା ବିଚାରାଧୀନ ରହିଛି। ସେହି ଦୁଇଜଣ ଫେରାର ଥିବା ଦର୍ଶାଯାଇଛି। ପୀଡ଼ିତାଙ୍କ ମାନସିକ ଆଘାତକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହେରୁ କୁମାର ସାହୁ ଏହି ମାମଲାଟି କୋର୍ଟରେ ସରକାରଙ୍କ ପକ୍ଷରୁ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ