ଲଘୁଚାପଜନିତ ବର୍ଷାରେ ବହୁ ଚାଷଜମି ଜଳମଗ୍ନ: ଚିନ୍ତାରେ ଆସିକା ଅଞ୍ଚଳର ଚାଷୀ
ଆସିକା (ୱାଇଏନ୍ଏସ୍) : ଗତ ୨ ଦିନ ଧରି ଲାଗି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆସିକାର କେତେକ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଛି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଧାନ ଫସଲ ଗତ ଦୁଇ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ତାହା ଭିଜି ନଷ୍ଟ ହେବାକୁ ବସିଥିବା ଆଲୋଚିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀ ସମାଜକୁ ଦାଉ ସାଜିଥିବା ଚର୍ଚ୍ଚା ହେଉଛି। ଯାହାରି ଫଳରେ ଚାଷୀ ବର୍ଷକର ଆହାର ପୁଣି ହରାଇବା ଭୟରେ ଦୁଃଖରେ ଭାଙ୍ଗି ପଡିଛି। ବିଗତ କିଛି ମାସ ତଳେ ପ୍ରଥମେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଆଉ ଏବେ ଲଘୁଚାପଜନିତ ବର୍ଷା କେତେକ ଅଞ୍ଚଳ ଚାଷୀ ସମାଜର ଅଣ୍ଟା ଭାଙ୍ଗି ଦେଇଛି ବୋଲି ମତ ପ୍ରକାଶ ପାଉଛି। ଯାହାରି ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ପ୍ରକୃତି ଦାଉରେ ହତାଶ ହୋଇପଡଛନ୍ତି ଆସିକା ଅଞ୍ଚଳର ବହୁ ଚାଷୀ । ଧାନଗଛରେ ଏବେ କେଣ୍ଡା ବାହାରିବା ଆରମ୍ଭ ହୋଇଯାଇଛି । କିଛି ସ୍ଥାନରେ କେଣ୍ଡାରେ ଧାନ ହେଲାଣି । ଆଉ କିଛି ଦିନ ପରେ ଧାନ ପାଚିବାର ଥିଲା । ଠିକ୍ ଏହି ସମୟରେ ଲଘୁଚାପଜନିତ ତୁହାକୁ ତୁହା ବର୍ଷାର ପ୍ରଭାବରେ କେତେକ ଅଞ୍ଚଳର ଧାନଫସଲ ବର୍ଷାପାଣିରେ ବୁଡି ରହି ନଷ୍ଟ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଅବପାତଜନିତ ଲଗାଣ ବର୍ଷାରେ ଆସିକା ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବହୁ ଚାଷଜମି ଜଳମଗ୍ନ ହୋଇ ବୁଡି ରହିଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଧାନବିଲରେ ଲାଗିଥିବା ସୁନାର ଫସଲରେ ବର୍ଷାପାଣି ପଡିଥିବାରୁ ଖରିଫ୍ ଧାନ ଫସଲ ନଷ୍ଟ ହେବା ଆଶଙ୍କାକୁ ମଧ୍ୟ ଏଡାଇ ହେଉନାହିଁ । ଯାହାରି ଫଳରେ ଚାଷୀକୁଳ ଚିନ୍ତାରେ ପଡିଯାଇଛି । ବର୍ଷାପାଣି ଧାନ ଫସଲରେ ପଡିବା ଯୋଗୁଁ ଧାନର ଗୁଣାବତ୍ତା ମଧ୍ୟ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି । ଲଘୁଚାପ ଜନିତ ବର୍ଷାରେ ଆସିକା ବ୍ଳକ ଓ ପୌର ପରିଷଦ ଅଧିନସ୍ଥ କେତେକ ଅଞ୍ଚଳର ଧାନ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି ବୋଲି ଆଲୋଚିତ ହେଉଛି । ଗତ ଦୁଇ ଦିନ ତଳେ ହୋଇଥିବା ଝିପିଝିପି ବର୍ଷାର ପ୍ରଭାବରେ ଚାଷୀମୁଣ୍ଡରେ ଚଡକ ପଡିଛି ଯାହା ଚାଷୀଙ୍କୁ ଚିନ୍ତା ବଢାଇ ଦେଇଛି । ଧାନରେ କେଣ୍ଡା ଧରିବା ସମୟ ବେଳକୁ ଲଘୁଚାପଜନିତ ଅଦିନିଆ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଥିଲା ବେଳେ ମୁଣ୍ଡର ଝାଳକୁ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଉତ୍ପାଦନ କରିଥିବା ସୁନାର ଫସଲକୁ ସୁରକ୍ଷା ପାଇଁ ଚାଷୀ ପ୍ରୟାସ ଜାରି ରଖିଛି । ଲଘୁଚାପଜନିତ ଅଦିନିଆ ବର୍ଷା ଚାଷୀର ନିଦ ହଜାଇ ଦେଇଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଂଚାୟତ ଓ ପୌର ପରିଷଦ ଅଧିନସ୍ଥ ୧୮ଟି ୱାର୍ଡ ପରିସରଭୁକ୍ତ ଅଞ୍ଚଳରେ ଥିବା ସମୂଦାୟ ୧୫୮୬୩ ହେକ୍ଟର କ୍ଷେତ ମଧ୍ୟରୁ ୮୭୨୨ ହେକ୍ଟର ଜମିରେ ଖରିଫ୍ ଧାନଫସଲ ହୋଇଥିଲା ବେଳେ ୭୧୪୧ ହେକ୍ଟର କ୍ଷେତରେ ଅଣଧାନ ଫସଲ ହୋଇଥିବା ଜଣାପଡିଛି । ଆସିକା କୃଷି ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଉଚ୍ଚା ଜମି, ମଧ୍ୟମ ଜମି ଓ ଖାଲଜମିରେ ୮୭୨୨ ହେକ୍ଟର ଜମିରେ ଧାନଫସଲ ହୋଇଥିଲା ବେଳେ ଲଘୁଚାପଜନିତ ବର୍ଷାର ପ୍ରଭାବରେ ଶତାଧୀକ ହେକ୍ଟର ଜମିର ଧାନଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଆଲୋଚିତ ହେଉଛି । ଜିଲ୍ଲା ପ୍ରଶାସନ ତଥା କୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳର ଚାଷୀ ସମାଜର ବୃହତ୍ତର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ କ୍ଷୟକ୍ଷତିର ଆକଳନ କରି ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଶିବପ୍ରସାଦ ଶତପଥୀ ଅନୁରୋଧ କରିଛନ୍ତି।


