ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ କମାଲ୍, ତିଆରି କଲେ ଇ- ସାଇକେଲ
କୋଦଳା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଆଦର୍ଶ ବିଦ୍ୟାଳୟର ୨ ଛାତ୍ରଙ୍କ ସଫଳତା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ସହଯୋଗରେ ୨ ଛାତ୍ର ସୁବାସ ଚନ୍ଦ୍ର ପଣ୍ଡା ଓ ରୋଶନ କୁମାର ଇ- ସାଇକେଲ ର ଉଦ୍ଭାବନ କରିଛନ୍ତି। ଯାହାକୁ ନେଇ ବ୍ଲକ ତଥା ଜିଲ୍ଲା ସ୍ତରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିବିଏସ୍ଇ ଢାଞ୍ଚାରେ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ କିଛି ସ୍ବତନ୍ତ୍ରତା କୁ ନେଇ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ବେଗୁନିଆପଡ଼ା ଆଦର୍ଶ ବିଦ୍ୟାଳୟର ଏହି ଛାତ୍ର ଦ୍ବୟ ଏବେ କାରୀଗରୀ ବିଜ୍ଞାନର କମାଲ୍ ଦେଖାଇଛନ୍ତି।ଛାତ୍ର ସୁବାସ ଚନ୍ଦ୍ର ପଣ୍ଡାଙ୍କ କହନ୍ତି ଆଦର୍ଶ ବିଦ୍ୟାଳୟକୁ ଯିବାକୁ ହେଲେ ଘରଠାରୁ ଯିବାକୁ ପଡୁଥିଲା ୧୫ ରୁ ୨୦ କି ମି।ଏଣୁ ଏଭଳି ସାଇକେଲ ତିଆରି କରିବା ଦ୍ବାରା ତାଙ୍କୁ କମ୍ ସମୟରେ ଏବଂ ଅଧିକ ଦୂରକୁ ଯିବାକୁ ବେଶ୍ ଉପାଦେୟ ହେବ। ସାଇକେଲଟିରେ ଲିଥିୟମ ବ୍ୟାଟେରୀ ବ୍ୟବହାର କରାଯାଇଛି। ଯାହାକୁ ଥରେ ଚାର୍ଜ କରିଲେ ୩୦ କିଲୋମିଟର ଯାଇହେବ ଓ ଅଧିକ ଦାମୀ ବ୍ୟାଟେରୀ ଲଗାଇଲେ ଏହାଠାରୁ ମଧ୍ୟ ଅଧିକ କିଲୋମିଟର ଯାଇହେବ। ସେହିପରି ରୋଶନ କୁମାରଙ୍କ କହିବା କଥା ଏଭଳି ସାଇକେଲ ପ୍ରସ୍ତୁତ କରିବାକୁ ଇଛା ଥିଲା ଏବଂ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ପରାମର୍ଶ କ୍ରମେ ତାଙ୍କଠାରୁ ପ୍ରେରଣା ଓ ସହଯୋଗ ପାଇବା ପରେ ଏହା ସମ୍ଭବ ହୋଇପାରିଛି। ଏହି ସାଇକେଲ ଚକାକୁ ଡାଇନୋମା ଲଗାଯାଇଥିବା ବେଳେ ସାଇକେଲ ଚାଲିବା ସମୟରେ ଅଟୋମେଟିକ ବ୍ୟାଟେରୀ ଚାର୍ଜ ହେବ ନଚେତ୍ ବିଦ୍ୟୁତ ଦ୍ବାରା ମଧ୍ୟ ଚାର୍ଜ ହୋଇପାରିବ।ଯଦି କୌଣସି ସମୟରେ ଅଧା ବାଟରେ ବ୍ୟାଟେରୀ ସରିଯାଏ ତେବେ ଗୋଟିଏ କିଲୋମିଟର ପ୍ୟାଡେଲ୍ ମାରି ସାଇକେଲ ଚଲାଇଲେ ପୁଣି ୫ କିଲୋମିଟର ଯାଇହେବ। ଏହି ସାଇକେଲଟି ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ଏବଂ ବିନା ପେଟ୍ରୋଲରେ ଯାଇ ପାରିବ ବୋଲି ବିଜ୍ଞାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରକାଶ କରିଛନ୍ତି। ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଜେ ପ୍ରଶଂସା କରିବା ସହ ପିଲାଙ୍କ ବିଜ୍ଞାନ କାରିଗରୀ କୁ ପ୍ରଶଂସା କରିଥିଲେ। ଏପରିକି ଗଂଜାମ ଜିଲ୍ଲାପାଳ ମଧ୍ୟ ପିଲାମାନଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି।


