ଦୁଇ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା

ପୋଲସରା,  (ଅନିଲ କୁମାର ମହାରଣା) : ପୋଲସରା ପୌରପରିଷଦ ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ୧୩/୧୦/୨୬ ତାରିଖ ଦିନ ଏବଂ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪/୧୦/୨୬ ଦିନ ଦୁଇ ଦିନ ପାଇଁ ଏ-୧ ଓ  ଏ-୨ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ଗୋଷ୍ଠୀ  ଶିକ୍ଷାଧିକାରୀ ରୁଦ୍ର ପ୍ରସାଦ ସାହୁଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କର୍ମଶାଳାରେ ପୌରପରିଷଦ ଏବଂ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ମୋଟ ୩୩ ଗୋଟି ଉଚ୍ଚ ବିଦ୍ୟାଳୟର ୪୬ ଜଣ ଏ-୧ ଗ୍ରେଡ ଓ ଏ-୨ ଗ୍ରେଡ ଆଶାୟୀ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ହାତୀଓଟ ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ ଯୋଗଦେଇ ଆଗାମୀ ମାଟ୍ରିକ ପରୀକ୍ଷାରେ‌ ସର୍ବୋଚ୍ଚ ମାର୍କ ରଖି ପାସ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବାସହ ସେମାନଙ୍କ ସଫଳତା ଓ ଶୁଭକାମନା କରିଥିଲେ। ଗୋପବନ୍ଧୁ ହାଇ ସ୍କୁଲରେ ପ୍ରଥମ ଦିବସ ୧୩ ତାରିଖ ଦିନ ମାତୃଭାଷା ଓଡ଼ିଆ, ଗଣିତ, ଜ୍ୟାମିତି, ହିନ୍ଦୀ ଓ ସଂସ୍କୃତ ଭାଷା ଏବଂ ଲିଙ୍ଗରାଜ ହାଇ ସ୍କୁଲରେ ଦ୍ୱିତୀୟ ଦିବସ ୧୪ ତାରିଖ ଦିନ ଇଂରାଜୀ, ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଇତିହାସ ଓ ଭୂଗୋଳ ବିଷୟ ଗୁଡ଼ିକ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ୧୦ ଗୋଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭ୍ରକାନ୍ତ ସାହୁ, ଜ୍ୟୋତିଲ୍ ନାୟକ, ହିତେଶ କୁମାର ସ୍ୱାଇଁ, ପ୍ରଭାକର ପୋଲାଇ, ବିକାଶ ରଂଜନ ବଳ , ମିଥୁନ ରାଉତ, ଡ଼କ୍ଟର ଅମ୍ରେଶ ପଟ୍ଟନାୟକ, ଚନ୍ଦନ ନାୟକ, ସିଦ୍ଧେଶ୍ୱର  ପତି ଓ ଶିକ୍ଷୟତ୍ରୀ ରେଶ୍ମାରାଣୀ ରଥ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୭ ମାଟ୍ରିକ ପରୀକ୍ଷା ମାତ୍ର ଚାରି ମାସ ରହିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି କର୍ମଶାଳାର ଯଥେଷ୍ଟ ଗୁରୁତ୍ୱ ରହିଛି। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହିତ ମନୋବଳ ବୃଦ୍ଧି ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ ଓ ବୁଦ୍ଧିଜିବୀ ବୃନ୍ଦ ମତ ପ୍ରକାଶ କରିଛନ୍ତି। ଏଥିସହ ପ୍ରତିବର୍ଷ ଅନୁଷ୍ଠିତ ଦକ୍ଷତା ବୃଦ୍ଧି କର୍ମଶାଳାରେ ଛାତ୍ରଛାତ୍ରୀ ବୃନ୍ଦ ସ୍ଵତନ୍ତ୍ର ଜ୍ଞାନ ଆହରଣ କରିବାର ସୁଯୋଗ ମିଳିଥିବାରୁ ଆନନ୍ଦ ପ୍ରକାଶ କରିବା ସହ ଆସନ୍ତା ବୋର୍ଡ ପରୀକ୍ଷାରେ ଅଧିକ ମାର୍କ ରଖି ପାସ ହେବାରେ ସହାୟକ ହେବ ବୋଲି କହିଛନ୍ତି। ପ୍ରଥମ ଦିବସ କର୍ମଶାଳାରେ ଗୋପବନ୍ଧୁ ହାଇ ସ୍କୁଲର  ପ୍ରଧାନ ଶିକ୍ଷୟତ୍ରୀ କେ.ମମତା କୁମାରୀ ଓ ଦ୍ୱିତୀୟ ଦିବସ କର୍ମଶାଳାରେ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁଙ୍କ ସମେତ ଉଭୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ