ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବିପୁଳ ବିଜୟ
ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିପୁଳ ବିଜୟ ହାସଲ କରିଛି। ନିର୍ବାଚନରେ ସଭାପତି ପଦରେ ବୈଶାଖୀ ସାହୁ ଏବଂ ସମ୍ପାଦକ ପଦରେ ମନୋଜ ବାରିକ ବିଜୟୀ ହୋଇଛନ୍ତି। ସେହିପରି ଉପ ସଭାପତି ପୂଜାରାଣୀ ଓଝା, ସହ ସମ୍ପାଦକ ଆରତୀ ସାହୁ, କ୍ରୀଡା ସମ୍ପାଦକ ଭକ୍ତବନ୍ଧୁ ସାହୁ, କଳା ସମ୍ପାଦକ ମଧୁସ୍ମିତା ଖଟୁଆ, କଳା ସହ ସମ୍ପାଦକ ସାଇ ସଂଗ୍ରାମ ଜେନା ବିଜୟୀ ହୋଇଥିବା ଜଣାପଡ଼ିଛି। ଏହି ବିଜୟ ପରେ ଏବିଭିପି ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ନିର୍ବାଚନରେ ସଫଳତାକୁ ନେଇ ସଂଗଠନର କର୍ମକର୍ତ୍ତା ଓ ସମର୍ଥକମାନେ ଖୁସିବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମର୍ଥନ ଏହି ବିଜୟର ମୁଖ୍ୟ ଆଧାର ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଦୀର୍ଘ ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବାରୁ ଏହାକୁ ନେଇ କଲେଜ ପରିସରରେ ରାଜନୈତିକ ଉତ୍ସାହ ଦେଖିବାକୁ ମିଳିଥିଲା। ଏବିଭିପିର ଏହି ସଫଳତା ଆଗାମୀ ଦିନରେ କଲେଜରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଶିକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକୁ ସମାଧାନ କରିବା ଦିଗରେ ଗୁରୁତ୍ୱ ଦେବୁ ବୋଲି ବିଜୟୀ ସଭାପତି କହିଛନ୍ତି। ଜିଲ୍ଲା ବିଜେପି ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ଅକ୍ଲାନ୍ତ ଉଦ୍ୟମ ଓ ବିଜେପି ନେତା ଆଲୋକ ସେଠୀଙ୍କ ସହଯୋଗରେ ଏବିଭିପି ଏହି ସଫଳତା ହାସଲ କରିଥିବା ଜଣା ଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ଛାତ୍ରଛାତ୍ରୀ ମାନେ ଏକ ବିରାଟ ପଟୁଆରରେ ଢୋଲ ବଜାଇ ବାଣ ଫୁଟାଇ ହାଟଡିହି କଲେଜ ଠାରୁ ଛେନାପଦି ଛକ ପର୍ଯ୍ୟନ୍ତ ଯାଇଥିଲେ।


