କଲେଜ ନିର୍ବାଚନ ବିବାଦ ଥମିବାର ନାଁ ନେଉନି
ହାଟଡିହି, (ଓ୍ବାଇଏନଏସ): ହାଟଡିହି କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ଭୋଟ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗକୁ କେନ୍ଦ୍ରକରି ପୂର୍ବରୁ ରାସ୍ତାରୋକ କରିଥିବା ବିସିଜେଡି ଓ ଏନଏସୟୁଆଇର ପ୍ରାର୍ଥୀମାନେ ଶନିବାର ନନ୍ଦିପଦା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ସିସିଟିଭି ଯାଞ୍ଚ ସମୟରେ କ’ଣ ଦେଖାଯାଇଥିଲା, ତାହାର ଲିଖିତ ତଥ୍ୟ ପ୍ରଦାନ କରିବାରେ ବିଳମ୍ବ ହେବାକୁ ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ହାଟଡିହି କଲେଜରେ ଛାତ୍ର ସଂସଦ ନିର୍ବାଚନର ଭୋଟ ଗଣତି ପରେ କେତେକ ପ୍ରାର୍ଥୀ ଗଣତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠାଇଥିଲେ। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହେବା ସହ ପ୍ରତିବାଦ ଓ ରାସ୍ତାରୋକ ଭଳି ପରିସ୍ଥିତି ଉପୁଜିଥିଲା। ଏପରିକି ଗୋଟିଏ ଦିନ ପୂର୍ବରୁ କଲେଜକୁ ଛୁଟି କରିଦିଆ ଯାଇଥିଲା। ନିର୍ବାଚନର ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିବା ପ୍ରାର୍ଥୀମାନେ ଘଟଣାର ସଠିକ୍ ତଦନ୍ତ ଏବଂ ଅଭିଯୋଗର ସ୍ପଷ୍ଟ ଜବାବ ଦାବି କରିଆସୁଛନ୍ତି। ପ୍ରାର୍ଥୀମାନଙ୍କ କହିବା ଅନୁଯାୟୀ, ଗତକାଲି ଆନନ୍ଦପୁର ଏସଡିପିଓ, ତହସିଲଦାର ଙ୍କ ଉପସ୍ଥିତିରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସେଥିରେ ଯାହା ଦେଖାଯାଇଥିଲା, ସେ ସମ୍ପର୍କରେ ଲିଖିତ ଭାବେ ତଥ୍ୟ ଦିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା। ଏହି ପ୍ରତିଶ୍ରୁତି ପରେ ପ୍ରାର୍ଥୀମାନେ ଲିଖିତ ତଥ୍ୟ ପାଇବାକୁ ଅପେକ୍ଷା କରିଥିଲେ। କିନ୍ତୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି।ଏହାର ପ୍ରତିବାଦରେ ବିସିଜେଡି ଓ ଏନଏସୟୁଆଇର ପ୍ରାର୍ଥୀମାନେ ନନ୍ଦିପଦା ଥାନା ସମ୍ମୁଖରେ ଏକାଠି ହୋଇ ଧାରଣା ଦେଇଛନ୍ତି। ଧାରଣାରେ ବସିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ସ୍ୱାଧୀନ ସାହୁ, କାଦମ୍ବିନୀ ରାଉତ, ବିଭୂତି ଭୂଷଣ ଭୂୟାଁ, ତୋଫାନ ଜେନା, ସତ୍ୟପ୍ରକାଶ ବାରିକ, ରାଜଲକ୍ଷ୍ମୀ ବିଶ୍ୱାଳ, ସ୍ମୃତିରେଖା ସା, ଅଂଶୁମାନ ରାଉତ, ଦେବାଶିଷ ବିଶ୍ୱାଳ, ସ୍ମୃତିରଞ୍ଜନ ପହି, ଶିବଶଙ୍କର ନାୟକ, ତପନ କୁମାର ସା ଓ ଧନଞ୍ଜୟ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି। ହାଟଡିହି କଲେଜର ଏହି ନିର୍ବାଚନ ବିବାଦ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ର ସଂସଦ ନିର୍ବାଚନ ଭଳି ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଓ ପାରଦର୍ଶିତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ତେଣୁ ଉଠିଥିବା ଅଭିଯୋଗର ଉପଯୁକ୍ତ ଯାଞ୍ଚ ସହ ସିସିଟିଭି ଯାଞ୍ଚର ଲିଖିତ ତଥ୍ୟ ପ୍ରଦାନ କରାଗଲେ ଘଟଣା ସମ୍ପର୍କରେ ସ୍ପଷ୍ଟତା ଆସିବା ସହ ବିବାଦର ସମାଧାନ ପାଇଁ ରାସ୍ତା ଖୋଲିପାରିବ ବୋଲି ଧାରଣାରେ ବସିଥିବା ଛାତ୍ରଛାତ୍ରୀ ମାନେ ମତ ରଖିଛନ୍ତି । ଛାତ୍ରଛାତ୍ରୀ ମାନେ ଥାନା ଫାଟକ ସମୁଖରେ ବସିଥିବାରୁ ସମସ୍ୟା ଉପୁଜୁଥିବା ଦର୍ଶାଇ ଆଇ ଆଇ ସି ଛାତ୍ରଛାତ୍ରୀ ମାନଙ୍କୁ ଯେତେପ୍ରକାର ବୁଝାଉ ଥିଲେ ବି ଛାତ୍ରଛାତ୍ରୀ ମାନେ ନିଜ ଜିଦରେ ଅଟଳ ରହିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିଥିବା ଜଣା ଯାଇଛି।


