ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଟକ, (ଓ୍ବାଇଏନଏସ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଶନିବାର ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକଠାରେ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳନ କରାଯାଇଛି। ଏହି ଅବସରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ଜାତୀୟ ଐକ୍ୟଭାବକୁ ଅକ୍ଷୁଣ୍ଣ ରଖିବା ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଏସ୍‌.କେ. ପ୍ରିୟଦର୍ଶୀ ଯୋଗଦେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ଏହି ଶପଥ ମାଧ୍ୟମରେ ଦେଶର ଏକତା ଓ ଅଖଣ୍ଡତାର ସୁରକ୍ଷା, ଜାତୀୟ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏକତାର ବାର୍ତ୍ତା ପ୍ରସାର କରିବା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଏସ୍‌. ପ୍ରବୀଣ କୁମାର, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର ଏବଂ ଡିଆଇଜିପି (କାର୍ମିକ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ମୁଖ୍ୟାଳୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଜାତୀୟ ସଂହତିକୁ ସୁଦୃଢ଼ କରିବା ସହ ଦେଶର ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକାର ଗୁରୁତ୍ୱକୁ ଉଜାଗର କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ