ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ
ଗୁଣପୁର (ୱାଇଏନଏସ): ସୁପ୍ରିମକୋର୍ଟର ନିର୍ଦେଶ ଅନୁଯାୟୀ ରାୟଗଡ଼ାର ବହୁଚର୍ଚ୍ଚିତ ପୂର୍ବତନ କାଉନସିଲର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଆଜି (ସୋମବାର) ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ରାୟଗଡା ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ମାନ୍ୟବର ଏସଡିଜେଏମ ଶ୍ରୀମତି ସୁଦେଷ୍ଣା ପଟନାୟକ ତାଙ୍କର ଜାମିନ ଆବେଦନ ନାମଞ୍ଜୁର କରି ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିବା ଜଣାପଡିଛି। ପୂର୍ବତନ କାଉନସିଲର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣାରେ ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ୨୨ ଜାନୁଆରି ୨୦୨୬ରେ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଏହା ବିରୋଧରେ ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଇଥିବା ଜାମିନକୁ ଖାରଜ କରିଦେଇଥିଲେ। ଅଭିଯୁକ୍ତମାନେଙ୍କୁ ୨ସପ୍ତାହ ମଧ୍ୟରେ ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପ୍ରକାରେ ଆଜି ଶ୍ରୀ ରାଓ ଏସଡିଜେମ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ୭୬ବର୍ଷିୟ ଭାସ୍କର ରାଓଙ୍କ ସ୍ବାସ୍ଥ୍ୟବସ୍ଥା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ବିଷମକଟକ ଉପକାରାଗାରକୁ ପଠାଇଦିଆଯାଇଛି। ଏନେଇ ଭାସ୍କର ରାଓଙ୍କ ଓକିଲ ନବକୁମାର କଣ୍ଟା କହିଛନ୍ତି, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ମହକିଲ ଆତ୍ମସମର୍ପଣ କରିଛନ୍ତି। ଖୁବ ଶୀଘ୍ର ଆମେ ଉପର କୋର୍ଟରେ ଜାମିନ ନିମନ୍ତେ ଅବେଦନ କରିବେ। ଏହି ଘଟଣାରେ ଶ୍ରୀ ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତ ଇପିଲି ସନ୍ୟାସି ରାଜୁ, ଆଦିନାରାୟଣ ରାଓ, କେ.କ୍ରିଷ୍ଣା ରାଓ ଏବଂ ପି ଦିଲୀପ କୁମାର ମଧ୍ୟ ଆତ୍ମସମର୍ପଣ ପରେ ଜେଲ୍ହାଜତକୁ ଯାଇଛନ୍ତି। ସୂଚନାଯୋଗ୍ୟ, ରାୟଗଡ଼ା ଥାନାରେ ୨୩ ଡିସେମ୍ବର ୨୦୧୦ରେ ମାମଲା ନମ୍ବର ୨୦୮/୨୦୧୦ ଅନୁଯାୟୀ ଏତଲା ଦାୟର ହୋଇଥିଲା।ଏହି ମାମଲାରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୬୪ (ଅପହରଣ) ଏବଂ ୩୪ ଭଳି ସଂଗୀନ ଦଫା ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ୫ ଏପ୍ରିଲ ୨୦୧୧ରେ କଟକ ସିଆଇଡି ସିବି ଥାନାରେ ଏହା କେସ୍ ନମ୍ବର ୧୦/୨୦୧୧ ଭାବେ ପୁନଃ ପଞ୍ଜୀକୃତ ହୋଇଥିଲା। ଏହି ଘଟଣା ଉପରେ କୌଣସି ରାଜନୈତିକ ଦଳର ନେତାମାନେ ଟିପ୍ପଣୀ କିମ୍ବା ପ୍ରତିକ୍ରିୟା ଦେଇ ନାହାନ୍ତି।ଶ୍ରୀ ରାଓ ଆଜି ରାୟଗଡା ଏସଡିଜେମ୍ କୋର୍ଟରେ ଆତ୍ମ ସମର୍ପଣ କରିବା ପୂର୍ବରୁ ତାଙ୍କ ବାସଭବନରେ ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କର ପ୍ରବଳ ଭିଡ ଜମିଥିଲା। ଭିଡ଼କୁ ଦୃଷ୍ଟିରେ ରଖି କୋର୍ଟ ବାହାରେ ପୁଲିସ ପକ୍ଷରୁ କଢ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।


