ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ବିଧାୟକ ଓ ଅଧିକାରୀ

କଟକ, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କଟକ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଶାସନିକ ତତ୍ପରତା ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଣ୍ଟାପଡ଼ା ଓ ଡମପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିଧାୟକ ଓ ଅଧିକାରୀ ମାନେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଅତିରିକ୍ତ ଜିଲ୍ଲାପାଳ ଡ. ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ଉପଲବ୍ଧ ମୌଳିକ ସୁବିଧା, ଆବଶ୍ୟକୀୟ ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଏହାପରେ ସେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଗର୍ଭବତୀ ମହିଳା, ନବଜାତ ଶିଶୁ ଓ ମା’ଙ୍କୁ ଭେଟିଥିଲେ। ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କୁ ଉପଲବ୍ଧ ସ୍ୱାସ୍ଥ୍ୟସେବା ଓ ଆବଶ୍ୟକୀୟ ଯତ୍ନ ସମ୍ପର୍କରେ ଖବର ନେଇଥିଲେ। ସେହିପରି ଡମପଡ଼ା ବ୍ଲକ ଅଞ୍ଚଳରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବାଙ୍କୀ ଉପଜିଲ୍ଲାପାଳ ମୋନୋସ୍ୱିନୀ ଦାସ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ରହିଥିବା ମୌଳିକ ସୁବିଧା, ବାତ୍ୟା ମୁକାବିଲା ପ୍ରସ୍ତୁତି ଏବଂ ଆବଶ୍ୟକୀୟ ବ୍ୟବସ୍ଥାର ସମୀକ୍ଷା କରିବା ସହ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ବାତ୍ୟା ପରିସ୍ଥିତିରେ ଯେପରି କୌଣସି ଅବ୍ୟବସ୍ଥା ସୃଷ୍ଟି ନହୁଏ ଏବଂ ଲୋକଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ମିଳିପାରିବ, ସେଥିପାଇଁ ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଅନୁଧ୍ୟାନକୁ ପ୍ରଶାସନ ପ୍ରାଥମିକତା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ