ବିନା ସୂଚନା ଫଳକ, ଚୋରା ପାଣି ଓ ବିଦ୍ୟୁତରେ ନିର୍ମାଣ ଚାଲିଛି ବହୁତଳ କୋଠା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :  ଗଜପତି ଜିଲ୍ଲାରେ ବିନା ସୂଚନା ଫଳକ, ଚୋରା ପାଣି ଓ ବିଦ୍ୟୁତରେ ନିର୍ମାଣ ଚାଲିଛି ଏକ ବହୁତଳ କୋଠା. ଏଥିନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଭିତରେ ଚାଲିଥିବା ଏକ ବହୁତଳ କୋଠା ନିର୍ମାଣ କାର୍ଯ୍ୟକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବିନା ସୂଚନା ଫଳକରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଚୋରା ବିଦ୍ୟୁତ୍ ଏବଂ ଡାକ୍ତରଖାନାର ସରକାରୀ ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଇଁପୁର ଡାକ୍ତରଖାନା ପାଚେରୀ ଭିତରେ ଏକ କୋଠା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ସରକାରୀ ନିୟମ ଅନୁସାରେ ଯେକୌଣସି ନିର୍ମାଣ ସ୍ଥଳରେ କାର୍ଯ୍ୟର ନାମ, ଅଟକଳ ମୂଲ୍ୟ, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଏବଂ ଠିକାଦାରଙ୍କ ବିବରଣୀ ସମ୍ବଳିତ ‘ସୂଚନା ଫଳକ’ ଲଗାଇବା ବାଧ୍ୟତାମୂଳକ ଅଟେ। ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନଥିବାରୁ ଏହା କେଉଁ ବିଭାଗ ଦ୍ୱାରା ଓ କେତେ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି, ତାହା ସାଧାରଣ ଲୋକଙ୍କୁ ଅଛପା ରହିଛି। ଅନ୍ୟପକ୍ଷରେ, ଏହି ନିର୍ମାଣ କାର୍ଯ୍ୟ ପାଇଁ କୌଣସି ବୈଧ ବିଦ୍ୟୁତ୍ ମିଟର ନଥାଇ ଅବୈଧ ଭାବେ ହୁକିଂ କରି ଚୋରା ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ଅଭିଯୋଗ ଉଠିଛି। କେବଳ ସେତିକି ନୁହେଁ, ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବହାର ପାଇଁ ଥିବା ସରକାରୀ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ନେଇ କୋଠା ନିର୍ମାଣ କାର୍ଯ୍ୟରେ ଲଗାଯାଉଛି। ଏହାଦ୍ୱାରା ଡାକ୍ତରଖାନାରେ ଜଳସଙ୍କଟ ଦେଖାଦେବା ସହ ସରକାରୀ ରାଜସ୍ୱର କ୍ଷତି ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗଜପତି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ରାୟଗଡ଼ ବିଡିଓ ଏବଂ TPSODL ବିଦ୍ୟୁତ୍ ବିଭାଗର ପ୍ରବର୍ତ୍ତନ ଦଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ତଦନ୍ତ ପରେ ଦୋଷୀ ଠିକାଦାର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ