ଶିଉଳିରୁ ପ୍ରସ୍ତୁତ ହେବ ଇନ୍ଧନ
ହ୍ରଦ ଏବଂ ପୋଖରୀମାନଙ୍କରୁ ମିଳୁଥିବା ଦଳ ବା ଶିଉଳିଗୁଡ଼ିକ ସାଧାରଣତଃ ଅବ୍ୟବହୃତ ବର୍ଜ୍ୟ ସାମଗ୍ରୀ ଭାବେ ପରିଚିତ । କିନ୍ତୁ ଏ ସବୁରୁ ଏବେ ତିଆରି ହୋଇପାରିବ ରୋଷେଇ ଉପଯୋଗୀ ତେଲ ଏବଂ ଜୈବ ଇନ୍ଧନ । ଉତ୍ତରପ୍ରଦେଶ ସ୍ଥିତ ‘ହରକୋର୍ଟ ବଟଲର ବିଶ୍ୱବିଦ୍ୟାଳୟ’ର ତୈଳ ପ୍ରଯୁକ୍ତି ବିଭାଗ ଦ୍ୱାରା ଏହା ଉଦ୍ଭାବନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଉଦ୍ଭାବନକୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା କରାଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହି ଉଦ୍ଭାବନ ସଫଳାନ୍ୱିତ ହୋଇଛି । ଏହି ଉଦ୍ଭାବନ ଚାଷୀମାନଙ୍କୁ ଶିଉଳି ବା ଦଳ ଚାଷ କରି ଆତ୍ମନିର୍ଭରଶୀଳ କରାଇବାରେ ସହାୟକ ହେବ ବୋଲି ବିଭାଗ ମୁଖ୍ୟ ଦାବି କରିଛନ୍ତି । ଏହା ବ୍ୟତୀତ ଇନ୍ଧନ ଏବଂ ରୋଷେଇ ଉପଯୋଗୀ ତୈଳ ଯୋଗାଉଥିବାରୁ ତୈଳ ଅଭାବକୁ ମଧ୍ୟ ଏହା ଦୂର କରି ପାରିବ ବୋଲି କୁହାଯାଇଛି । ଶିଉଳିରେ ୪୦ ପ୍ରତିଶତ ଲିପିଡ ଥାଏ । ଏହି ଲିପିଡରୁ ପ୍ରଚୁର ପରିମାଣାରେ ଗ୍ଲିସେରାଇଡ ମିଳିଥାଏ । ଏହି ଗ୍ଲିସେରାଇଡ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ଜୈବ ଇନ୍ଧନ ଏବଂ ଖାଦ୍ୟେପଯୋଗୀ ତେଲରେ ପରିଣତ କରାଯାଉଛି ।


