ଗଜପତିରେ ଶିକ୍ଷାର ବିକାଶ ପାଇଁ ସୁପର-୩୦ ଉଦ୍ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସିଙ୍କି ସାହି ଠାରେ ଥିବା ବିଦ୍ୟାଳୟ ପରିସରରେ ଜିଲା ଶିକ୍ଷାର ବିକାଶ ପାଇଁ ସୁପର-୩୦ କାର୍ଯ୍ୟକ୍ରମ ଜିଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଗାମୀ ଦିନରେ ଜିଲାର ବିଦ୍ୟାର୍ଥୀମାନେ କିପରି ଶିକ୍ଷାକ୍ଷେତ୍ରରେ ଅଧିକ ବିକଶିତ ହୋଇପାରିବେ ତାହାକୁ ନେଇ ଏହିପରି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲାର ବଛାବଛା ମେଧାବୀ ଛାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷା ଦିଆଯାଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଗଜପତି ଜିଲାରେ “ଟିଚ ଗଜପତି” ନାମକ ଏକ ସ୍ୱତନ୍ତ୍ର ଶିକ୍ଷା ବିକାଶ କାର୍ଯ୍ୟକ୍ରମ କରାଯାଇଥିଲା ଯାହାକି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବେସ ପ୍ରଶଂସିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯେ କୌଣସି ବିଦ୍ୟାଳୟରେ ଜଣେ ସ୍ୱେଚ୍ଛାକୃତଭାବେ ଶିକ୍ଷାଦାନ ଏବଂ ଅର୍ଥଦାନ କରି ଶିକ୍ଷାର ବିକାଶ ପାଇଁ କାର୍ଯ୍ୟକରିବାର ପ୍ରୟାସ କରାଯାଇଥିଲା । ଏହି ସୁପର-୩୦ କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ଦିନରେ ଗଜପତି ଜିଲାର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ କିପରି ଅଧିକ କୃତକାର୍ଯ୍ୟ ତଥା ଉତ୍ତମ ରୂପେ ସଫଳତା ଅର୍ଜନ କରିବେ ସେଥିପାଇଁ ଏପରି ଏକ ପ୍ରୟାସ କରାଯାଇଥିବା ଜଣାପଡିଛି । ତେବେ “ଟିଚ ଗଜପତି”କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଜପତି ଜିଲାର ପ୍ରଶଂସା କରିଥିବା ସେ ସମୟରେ ଏକ ମୁଖ୍ୟ ଚର୍ଚ୍ଚିତ ବିଷୟ ପାଲଟିଥିଲା । ଆଜିର ଏହି ସୁପର-୩୦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଜିଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏବଂ ସୁପର-୩୦ର ଛାତ୍ର ପପୁନ ପାତ୍ର ଯୋଗଦେଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ