ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବାବେଳେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଂଚଳିକ ପରିବହନ ବିଭାଗ (ଗଞ୍ଜାମ) ପକ୍ଷରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସମସ୍ତ ସଡ଼କ ବ୍ୟବହାରକାରୀମାନଙ୍କ ସହଯୋଗ କାମନା କରିବା ସହ ସଡ଼କ ସୁରକ୍ଷା ନିୟମକୁ ଆନ୍ତରିକତାର ସହ ପାଳନ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ସମସ୍ତ ନାଗରିକ ଟ୍ରାଫିକ ନିୟମକୁ ନିଜେ କର୍ତବ୍ୟ ସହ ପାଳନ କରିବା ଦରକାର ଏବଂ ନିଜ ଜୀବନ ବଂଚିବା ସହ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଦରକାର । ଲାଗୁ ହୋଇଥିବା ଟ୍ରାଫିକ ନିୟମମାନଙ୍କୁ ଶତ ପ୍ରତିଶତ ପାଳନ କରିବା ଆମର ଲକ୍ଷ୍ୟ । ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଆଂଚଳିକ ପରିବହନ ବିଭାଗ ଏବଂ ପୁଲିସ ପ୍ରଶାସନ ପୃଥକ ପୃଥକ ସଚେତନ କରିବା ସହ ଅହରହ କାର୍ଯ୍ୟ କରୁଛନ୍ତି । ୨୦୧୯ ସଡ଼କ ଦୁର୍ଘଟଣାରେ ଡିସେମ୍ବର ସୁଦ୍ଧା ୩୮୫ ଜଣ ମୃତ୍ୟୁ ହୋଇଛି । ବିନା ଲାଇସେନ୍ସରେ ଗାଡ଼ି ନଚଳାଇବାକୁ ସେ କହିଥିଲେ । ଦାୟିତ୍ୱପୂର୍ଣ୍ଣ ଭାବେ ଗାଡ଼ି ଚଳାଇବାକୁ ଆହ୍ୱାନ ଦେଇଥିଲେ । ଜୀବନ ଅମୂଲ୍ୟ । ଏହା ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ସମ୍ମାନିତ ଅତିଥି ଭାବେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଯୋଗ ଦେଇ ନୂଆ ଟ୍ରାଫିକ ନିୟମ ଉପରେ ସମସ୍ତେ ସଚେତନ ହେବା ପାଇଁ କହିଥିଲେ । ଆଂଚଳିକ ପରିବହନ ବିଭାଗର ଡେପୁଟି କମିଶନର ବସନ୍ତ କୁମାର ବେହେରା ଓ ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ ଯୋଗ ଦେଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଆରଟିଓ ଶ୍ରୀ ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପରେ କହିଥିଲେ । ଶେଷରେ ଭାରପ୍ରାପ୍ତ ଏମଭିଆଇ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଡ଼କ ଦୁର୍ଘଟଣାରେ ଦୁର୍ଘଟଣାଗସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଥିବା ୧୦ ଜଣ ସାହାଯ୍ୟକାରୀମାନଙ୍କୁ ସମ୍ମାନିତ କରାଯାଇଥିବାବେଳେ ଦୁଇ ଜଣ ଦମକଳ ବାହିନୀ କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲାର ଜୁନିୟର ଓ ସିନିୟର ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ର ଓ ସ୍ଲୋଗାନ ରାଇଟିଂରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ନିଷ୍ଟ କଲେଜର ସାଂସ୍କୃତିକ ସଂସଦ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆରଟିଓ ଅରବିନ୍ଦ ନାୟକ, ଆସିଷ୍ଟାଂଟ ଆରଟିଓ କେ.ଭେଙ୍କଡ଼, ଜୁନିୟର ଏମଭିଆଇ ମାନସ କୁମାର ମିଶ୍ର, ପୂର୍ବତନ ଏନଏସି ନଗରପାଳ ରାମଚନ୍ଦ୍ର ବେହେରା, ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମ କୁମାର ଦାଶ, ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାଶଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଲାର ବହୁ ବୁଦ୍ଧିଜିବୀ, ସମାଜସେବୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ଗଂଜାମ ଆରଟିଓ ଓ ଭଂଜନଗର ଆରଟିଓ କାର୍ଯ୍ୟାଳୟର ଦୁଇଟି ସଚେତନତା ରଥକୁ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଦୁଇଟି ଜିଲ୍ଲାବ୍ୟାପୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନ କରାଇବ ।


