‘ଛପାକ୍‌’ରେ ଓଡ଼ିଆ ଅଭିନେତାଙ୍କ ଦମ୍‌ଦାର ଅଭିନୟ

ଚଳିତ ସପ୍ତାହରେ ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷର କାହାଣୀକୁ ନେଇ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଛପାକ୍‌’ର ରହିଛି ଓଡ଼ିଶା ଲିଙ୍କ୍‌। ଏହି ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଗତ ଶୁକ୍ରବାର ରିଲିଜ୍‌ ହୋଇଥିବାବେଳେ ଏହାକୁ ନେଇ ନିକଟରେ ବହୁ ବିବାଦ ଦେଖିବାକୁ ମିଳିଥିଲା। ହେଲେ ଫିଲ୍ମର ଦୃଢ କାହାଣୀ ଏବଂ ଦୀପିକାଙ୍କ ଦମ୍‌ଦାର ଅଭିନୟ ଏହାକୁ ବକ୍ସ ଅଫିସରେ ହିଟ୍‌ କରିଥିବାବେଳେ ରାଜନୈତିକ ବିରୋଧ ସତ୍ତ୍ୱେ ମଧ୍ୟ ହଲ୍‌ରେ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି। ବିଶେଷକରି ଏସିଡ୍‌ ପୀଡ଼ିତା ମାଳତୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଫିଲ୍ମ ସହ ଯୋଡ଼ିହୋଇ ରହିଛି ଓଡ଼ିଶା ଲିଙ୍କ୍‌। ଏହି ଫିଲ୍ମରେ ଓଡ଼ିଆ କଳାକାର ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ପୋଲିସ୍‌ ଅଧିକାରୀ ଭୂମିକାରେ ଦମ୍‌ଦାର୍‌ ନଜର ଆସିଛନ୍ତି। ସିଲଭର୍ ସ୍କ୍ରିନ୍‌ରେ ତାଙ୍କର ଦମ୍‌ଦାର ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି।
ପୂର୍ବରୁ ବହୁ ହିନ୍ଦୀ ଫିଲ୍ମ ଏବଂ ଧାରାବାହିକରେ ନଜର ଆସିଥିବା ଓଡ଼ିଶା ଜନ୍ମିତ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ବାସ୍ତବଧର୍ମୀ ଅଭିନୟ କଳା ମାଧ୍ୟମରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଚିତ୍ତରଞ୍ଜନ ‘ଛପାକ୍‌’ରେ ଜଣେ ପୋଲିସ୍‌ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିଛନ୍ତି। ମାଳତୀଙ୍କ ଉପରେ ଏସିଡ୍‌ ମାଡ଼ ମାମଲାରେ ତଦନ୍ତ କରୁଛନ୍ତି ସେ। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲା ପରିଚାଳନା କରିବାରେ ଏହି ଅଧିକାରୀଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଚିତ୍ତରଞ୍ଜନ ନିଜ ଚରିତ୍ରକୁ ନ୍ୟାୟ ଦେବାରେ କୌଣସି ହେଳା କରିନାହାନ୍ତି। ଜଣେ ମଞ୍ଚ କଳାକାର ଏବଂ ନିର୍ଦ୍ଦେଶକଭାବେ ପରିଚିତ ଚିତ୍ତରଞ୍ଜନଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ। ଦିଲ୍ଲୀ ନ୍ୟାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ରୁ ଅଭିନୟ କଳାରେ ଡିପ୍ଲୋମା କରିଥିବା ଶ୍ରୀ ତ୍ରିପାଠୀ ଏକାଧାରାରେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, କାହାଣୀ ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀ। ଓଡ଼ିଆ ଫିଲ୍ମ ‘ଧଉଳି ଏକ୍ସପ୍ରେସ୍‌’ ଏବଂ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିବା ଶ୍ରୀ ତ୍ରିପାଠୀ ‘ଦିଲ୍ଲୀ ୬’, ‘ଫାଣ୍ଟମ୍‌’, ‘ସାନ୍‌ଦାର୍‌’, ‘ତେରା ମେରା ତେଢା ମେଢା’ ଏବଂ ୨୦୧୭ରେ ହିନ୍ଦୀ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ସାବଧାନ୍‌’ ନଜର ଆସିଥିଲେ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସ ଇଣ୍ଡିଆର ଲୋକପ୍ରିୟ ଓ୍ବେବ୍‌ସିରିଜ ‘ସାକ୍ରେଡ୍‌ ଗେମ୍ସ’ରେ ମଧ୍ୟ ତ୍ରିବେଦି ଭୂମିକାରେ ତାଙ୍କ ଦମ୍‌ଦାର ଅଭିନୟ ଦେଖିବାର ସୁଯୋଗ ମିଳିଥିଲା। ଏହା ସହ ଅଲଟ ବାଲାଜୀ ଓ ଜି୫ରେ ପ୍ରସାରିତ ହେଉଥିବା ‘ମମ’ରେ ମଧ୍ୟ ସେ ଖଳନାୟକ ଭୂମିକାରେ ନଜର ଆସି ସାରିଛନ୍ତି। ‘ଧଉଳି ଏକ୍ସପ୍ରେସ୍‌’ ପାଇଁ ୩ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ପ୍ରତିଭାବାନ୍‌ କଳାକାର ଏକାଧିକ ପୁରସ୍କାର ହାସଲ କରିଥିବା ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ