ନୟନାଙ୍କୁ ମିଳୁନି ବାସଗୃହ, ଭଙ୍ଗାଘରେ କଟୁଛି ଜୀବନ
ହାଟଡିହି-: ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ ଓ କେହି ଆଉ ଚାଳଘରେ ରହିବେନି ଏହି ଲକ୍ଷ୍ୟନେଇ ରାଜ୍ୟ ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ ରାଜନୈତିକ ଆକ୍ରୋଶରୁ ବାଙ୍ଗୋର ପଞ୍ଚାୟତ କରଡାପାଳ ଗ୍ରାମର ଜଣେ ବିଧବା ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇ ଏବେ ଭଙ୍ଗା ଚାଳଘରେ ବାସ କରୁଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ନୟନା ବେହେରା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ମହିଳା ହୋଇଥିବାବେଳେ ୧୯୯୧ମସିହାରେ ତାଙ୍କ ସ୍ୱାମୀ ୨୨ହଜାର ଟଙ୍କାର ଏକ ଘର ପାଇଥିଲେ । ସେ ଘରକାମ ରୁଫ ଲେବୁଲ ପର୍ଯ୍ୟନ୍ତ କରିଥିବାବେଳେ ତାଙ୍କର ପରଲୋକ ଘଟିଥିଲା । ଫଳରେ ତାଙ୍କର ଅଧା ଟଙ୍କା ଆଉ ପାଇପାରି ନଥିଲେ କି ସେ ଆଉ ଘରଟି ପୁର୍ଣ୍ଣାଙ୍ଗ କରିପାରି ନଥିଲେ । ଏପରି ଅବସ୍ଥାରେ ସେ ଏକ ଭଙ୍ଗା ଘରେ ବାସ କରିଆସୁଛନ୍ତି । ସେ ବାରମ୍ବାର ଘର ପାଇଁ ଆବେଦନ କରୁଥିବାବେଳେ ୨୦୧୭ରେ ସେ ଘର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ତାଙ୍କୁ ଘର ମିଳିନଥିଲା । ଏପରିକି ତାଙ୍କ ପଛକୁ ନାମଥିବା ଲୋକମାନେ ଘର ପାଉଥିବାବେଳେ ତାଙ୍କୁ ଘର ନିଆଯାଉନାହିଁ । ଏନେଇ ସେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସବୁଆଡେ ଆବେଦନ କରିକରି ବିଫଳ ହେଉଛନ୍ତି । ତାଙ୍କ ଉପରେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏହି ଗରିବ ବିଧବା ମହିଳାଙ୍କ ପ୍ରତି ସଦୟ ହୋଇ ଆବାସ ଯୋଜନାରେ ସାମିଲ କରିବାକୁ ନୟନା ନିବେଦନ କରିଛନ୍ତି ।


