ନିର୍ଭୟା ମାମଲା : ୭ ଦିନ ଡେଡ୍ଲାଇନ୍ ପାଇଁ କେନ୍ଦ୍ରର ଆବେଦନ
ନୂଆଦିଲ୍ଲୀ : ନିର୍ଭୟା ମାମଲାର ଦୋଷୀମାନଙ୍କୁ ଫାଶୀ ଦେବା ଲାଗି ସାରା ଦେଶ ଅପେକ୍ଷା କରିଥିବାବେଳେ ଦୋଷୀମାନେ ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ ଚଳାଇଛନ୍ତି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସରକାର କହିଛନ୍ତି ଯେ ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ୭ ଦିନ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲାଯାଉ । ଗୃହ ମନ୍ତ୍ରଣାଳୟର ଯାଚିକା ଏଥିପାଇଁ ମଧ୍ୟ ବେଶି ମହତ୍ୱପୂର୍ଣ୍ଣ ଅଟେ ଯେ ୨୦୧୨ରେ ନିର୍ଭୟା ଗ୍ୟାଙ୍ଗ ରେପ-ହତ୍ୟା ମାମଲାରେ ଚାରି ଦୋଷୀଙ୍କ ଫାଶୀ ଦୀର୍ଘ ଦିନରୁ ଲମ୍ୱି ଚାଲିଛି। ରିଭ୍ୟୁ, କ୍ୟୁରେଟିଭ ଏବଂ କ୍ଷମା ଯାଚିକାରେ ଦୀର୍ଘ ସମୟ ବିତିଛି । ସରକାର କହିଛନ୍ତି, ଯଦି ଦୋଷୀ ଦୟା ଯାଚିକା ଦାଖଲ କରିବାକୁ ଚାହାନ୍ତି ତେବେ ସକ୍ଷମ କୋର୍ଟ ଦ୍ୱାରା ଡେଥ୍ ୱାରେଣ୍ଟ ଜାରି କରାଯିବାର ୭ ଦିନ ମଧ୍ୟରେ ବାଧ୍ୟତାମୂଳକ ହେଉ।


