ନିର୍ଭୟା ମାମଲା : ଦୋଷୀମାନଙ୍କୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ : ଦିନକୁ ଯେତିକି ଗଡ଼ୁଛି, ଲୋକଙ୍କ ଭିତରେ ଉତ୍କଣ୍ଠା ସେତିକି ବଢୁଛି। ସମସ୍ତଙ୍କର ଗୋଟିଏ ଅପେକ୍ଷା, କେବେ ଦୋଷୀ ଫାଶୀ ପାଇବ ଓ ନିର୍ଭୟାର ଆତ୍ମାକୁ ଶାନ୍ତି ମିଳିବ। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତିହାର ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ୍‌ ଜାରି କରି ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛନ୍ତି । ଏହାସହିତ ଏହି ଦୋଷୀମାନଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରାଯାଇଛି । ଜେଲ୍‌ ମାନୁଆଲ୍‌ ଅନୁସାରେ ମୃତ୍ୟୁର ସଜ୍ଜା ପାଇଥିବା କଏଦୀଙ୍କୁ ଫାଶୀ ପୂର୍ବରୁ ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚରାଯାଇଥାଏ ଏବଂ ପୂରଣ କରାଯାଇଥାଏ । ୧ ତାରିଖରେ ନିର୍ଘଣ୍ଟ ହୋଇଥିବା ଫାଶୀ ପୂର୍ବରୁ ଶେଷ ସାକ୍ଷାତ କାହାକୁ କରିବାକୁ ଚାହାଁନ୍ତି, ଯଦି ନିଜ ନାମରେ କିଛି ସମ୍ପତ୍ତି ବା ବ୍ୟାଙ୍କ ଖାତାରେ କିଛି ଜମା ପୁଞ୍ଜି ରହିଛି, ତେବେ ତାହା କାହାକୁ ଟ୍ରାନ୍ସଫର୍‌ କରିବାକୁ ଚାହୁଁଛନ୍ତି ବା କାହାକୁ ନୋମିନି ରଖିବାକୁ ଚାହୁଁଛନ୍ତି, କୌଣସି ଧାର୍ମିକ ତଥା ମନପସନ୍ଦ ପୁସ୍ତକ ପଢିବାକୁ ଚାହୁଁଛନ୍ତି କି ବୋଲି ଦୋଷୀମାନଙ୍କୁ ପ୍ରଶ୍ନ ପଚରାଯାଇଛି । ତେବେ ଦୋଷୀମାନେ ଏହାର କୌଣସି ଉତ୍ତର ରଖିନାହାନ୍ତି। ଏଥିରୁ ଜଣାପଡ଼ୁଛି ଯେ, ଫାଶୀ ପାଇବାକୁ ଆହୁରି ଅନେକ ସମୟ ଲାଗିବ ବୋଲି ସେମାନେ ଆଶାବାଦୀ ଅଛନ୍ତି।
ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠିଥିବାବେଳେ ଇତିମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ କ୍ଷମା ଆବେଦନ କରିବାକୁ ୭ ଦିନ ସମୟସୀମା ଧାର୍ଯ୍ୟ କରାଯିବା ଲାଗି କେନ୍ଦ୍ର ସରକାର ନିବେଦନ କରିଛନ୍ତି। ରାଷ୍ଟ୍ରପତି କ୍ଷମା ଆବେଦନ ଖାରଜ କରିବାର ୭ ଦିନ ମଧ୍ୟରେ ମୃତ୍ୟୁଦଣ୍ଡ ଓ୍ବାରେଣ୍ଟ ଜାରି କରିବା ଏବଂ ଏହାର ୭ ଦିନ ମଧ୍ୟରେ ଫାଶୀ ଦେବା ଲାଗି ସର୍ବୋଚ୍ଚ ଅଦାଲତ ସମସ୍ତ କୋର୍ଟ ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ମୃତ୍ୟୁଦଣ୍ଡାଦେଶ ମାମଲାରେ ରିଭ୍ୟୁ ପିଟିଶନ ଓ କ୍ୟୁରେଟିଭ୍‌ ପିଟିଶନ ଦାଏର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି। ୨୦୧୪ରେ ଶତ୍ରୁଘନ ଚୌହାନ ମାମଲାର ରାୟକୁ ସଂଶୋଧନ କରିବାକୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ