ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର : ଜୀବିତ ବ୍ୟକ୍ତି ଆଧାର କାର୍ଡରେ ମୃତ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ସରକାରୀ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି. ଜଣେ ଜୀବିତ ବ୍ୟକ୍ତିଙ୍କୁ ଆଧାର କାର୍ଡରେ ମୃତ ବୋଲି ଦର୍ଶା ଯାଇଛି. ଯଦ୍ୱାରା ସେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି. ଏଭଳି ଗୁରୁତର ତ୍ରୁଟି ଯୋଗୁଁ ସମ୍ପୃକ୍ତ ବ୍ୟକ୍ତି ରାସନ ସମେତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଶେଷରେ ସେ ଗଜପତି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ନ୍ୟାୟ ଭିକ୍ଷା କରିଛନ୍ତି । ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକ ରଣାଲଇ ଗ୍ରାମର ଜିଖରିୟ ପାଳ ଆର. ଉଦୟଗିରି ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ସେ ପହଞ୍ଚି ଆଧାର କାର୍ଡରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବା ଏବଂ ବନ୍ଦ ହୋଇଥିବା ରାସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ତୁରନ୍ତ ପ୍ରଦାନ କରିବାକୁ ସେ ନିବେଦନ କରିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜାଣିବା ପରେ ସମ୍ପୃକ୍ତ ବିଭାଗ ମାଧ୍ୟମରେ ତଦନ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତାଙ୍କୁ ଜଣାଇଥିଲେ।


