ନୟାଗଡ ଜିଲ୍ଲାରୁ ଅଧିକ ଶର୍କରାଯୁକ୍ତ ଆଖୁବିହନ ଆଣିବ ଆସିକା ଚିନିଶିଳ୍ପ
ଆସିକା (ୱାଇଏନ୍ଏସ୍) :ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଇଥିବା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ୍ ୨୦୨୫-୨୬ ଯୋଜନା ମାଧ୍ୟମରେ ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଳକର ଦମାହାଣ୍ଡି ଗ୍ରାମରୁ ଆସିକା ସମବାୟ ଚିନିଶିଳ୍ପ ଉନ୍ନତମାନର ଅଧିକ ଶର୍କରାଯୁକ୍ତ ଏବଂ ସର୍ବାଧିକ ଅମଳ ଉପଯୋଗୀ ପ୍ରାୟ ୨୦ ଟନ୍ ଆଖୁବିହନ ଆଣି ଚାଷୀଙ୍କୁ ଯୋଗାଇବ ବୋଲି ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଅଞ୍ଚଳରେ ଯେପରି ଅଧିକରୁ ଅଧିକ ଆଖୁଚାଷ ହୋଇପାରିବ ଏବଂ ଆଖୁଚାଷୀମାନେ ଆଖୁଚାଷ କରିବା ପାଇଁ କିପରି ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଆଖୁବିଭାଗର ପରାମର୍ଶଦାତା ବଳରାମ ସୁବୁଦ୍ଧିଙ୍କ ନେତୃତ୍ୱରେ ଆଖୁୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଦିଲୀପ କୁମାର ସ୍ୱାଇଁ, ଧ୍ରୁବଚରଣ ସାହୁ, ଆଖୁ ଉନ୍ନୟନ ସହାୟକ ପ୍ରଦୀପ କୁମାର ପଟ୍ଟନାୟକ, ଗୌରାଙ୍ଗ ଚରଣ ସ୍ୱାଇଁ, ଅଶୋକ କୁମାର ଘଡେଇ, ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ଆଖୁଚାଷୀ ଅକ୍ରୁର ସ୍ୱାଇଁ ପ୍ରମୁଖ ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଳକର ଦମାହାଣ୍ଡି ଗ୍ରାମରେ ପହଞ୍ଚି ସେଠାରେ ରୋପଣ କରାଯାଇଥିବା ଉନ୍ନତମାନର ଅଧିକ ଶର୍କରାଯୁକ୍ତ ଓ ସର୍ବାଧିକ ଅମଳ ଉପଯୋଗୀ ଆଖୁବିହନ ସଂପର୍କରେ ଚାଷୀ ବଳଦେବ ତାରିଣିଆଙ୍କ ସହ ବିସ୍ତୃତ ଭାବେ ବିଚାରବିମର୍ଶ କରିବା ସାଙ୍ଗକୁ ଆଖୁ ଫସଲର ବିକାଶ ପାଇଁ ପ୍ରଯୁକ୍ତି ବିଦ୍ୟା ମିଶନ୍ ୨୦୨୫-୨୬ ଯୋଜନା ଅଧିନରେ ଉନ୍ନତମାନର ବିହନ ଭିସିଏଫ୍-୦୫୧୭ (ବାହୁବଳୀ) ଆସିକା ସମବାୟ ଚିନିଶିଳ୍ପକୁ ଯୋଗାଇବା ସାଙ୍ଗକୁ ଫସଲର ସ୍ଥିତି, ଆଖୁକ୍ଷେତର ଅବସ୍ଥା ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବିଷୟ ଉପରେ ଆଲୋଚନା କରିଥିବା ଜଣାପଡିଛି । ୧୯୬୩ ମସିହା ଡିସେମ୍ବର ମାସରୁ ଆସିକା ସମବାୟ ଚିନିଶିଳ୍ପର ପ୍ରଥମ ଆଖୁପେଡା ଋତୁ ଆରମ୍ଭ ହୋଇଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଆଖୁଚାଷୀମାନେ ଆଖୁଚାଷ କରିବାକୁ ଯେଭଳି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ଚିନିଶିଳ୍ପ କର୍ତ୍ତୃପକ୍ଷ ବହୁବିଧ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଦୃଢ ଇଛାଶକ୍ତି ଓ ମାର୍ଗଦର୍ଶନରେ ସମବାୟ ଚିନିଶିଳ୍ପ ପ୍ରଗତି ପଥରେ ଆଗେଇ ଚାଲିଥିବା ସମବାୟପ୍ରେମୀ ମହଲରେ ମତ ପ୍ରକାଶ ପାଉଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଞ୍ଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା ଓ ଜଗନ୍ନାଥପ୍ରସାଦ ଇତ୍ୟାଦି ୧୬ଟି ବ୍ଳକ ଓ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ କିପରି ଅଧିକରୁ ଅଧିକ ଆଖୁଚାଷ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।


