ଛତ୍ରପୁର ନିର୍ବାଚନମଣ୍ଡଳୀର ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଲେ ବ୍ରହ୍ମପୁର ସାଂସଦ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶୁକ୍ରବାର ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବନ୍ୟାପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ସେ ବନ୍ୟାଜଳରେ ପ୍ରଭାବିତ ଅଞ୍ଚଳ ବୁଲିବା ସହ ପାଣି ମଧ୍ୟ ରେ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ସାଂସଦ ବନ୍ୟାଜଳ ନିଷ୍କାସନ, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବନ୍ୟାପୀଡ଼ିତ ଲୋକଙ୍କ ନିକଟରେ ତୁରନ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସାଂସଦ ପ୍ରଥମେ ଗଞ୍ଜାମ ବ୍ଲକର ୟୁଡ଼ିଏସପୁର ଓ ସନ୍ତୋଷ ପଞ୍ଚାୟତ ପରିଦର୍ଶନ କରିଥିଲେ। ପରେ ବିଭିନ୍ନ ଜଳମଗ୍ନ ଅଞ୍ଚଳ ବୁଲି ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ରୁଈନା ପଟ୍ଟନାୟକ, ଆର୍. ସନ୍ତୋଷ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


