ଗଞ୍ଜାମରେ ଜୋରଦାର ରିଲିଫ୍ ବଣ୍ଟନ ଓ ଏୟାରଡ୍ରପ୍
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। ଜଳବନ୍ଦି ଅଞ୍ଚଳରେ ରହିଥିବା ଲୋକଙ୍କ ନିକଟରେ ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆସିକା ଅଞ୍ଚଳରେ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା ନିଜ ଟିମ୍ ସହ ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳରେ ପହଞ୍ଚି ରିଲିଫ୍ ସାମଗ୍ରୀ ବଣ୍ଟନ କରୁଛନ୍ତି। ପ୍ରଥମେ ଶୁଖିଲା ଖାଦ୍ୟ ଓ ପାନୀୟଜଳ ବୋତଲ ବଣ୍ଟନ କରାଯାଇଥିବା ବେଳେ ପରେ ଉପମା ଓ ତରକାରୀ ଯୋଗାଇ ଦିଆଯାଇଛି। ଏଥିସହ ମଧ୍ୟାହ୍ନ ଭୋଜନ ମଧ୍ୟ ବଣ୍ଟନ କରାଯାଇଛି। ଅନ୍ୟପକ୍ଷରେ, ଜଳବନ୍ଦି ହୋଇଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ପାଇଁ ଏୟାରଡ୍ରପ୍ ଆରମ୍ଭ ହୋଇଛି। ୪ଟି ହେଲିକପ୍ଟର ଯୋଗେ ନିର୍ଦ୍ଦିଷ୍ଟ ୨୧ଟି ସ୍ଥାନରେ ଖାଦ୍ୟ ପ୍ୟାକେଟ୍ ଏୟାରଡ୍ରପ୍ କରାଯାଉଛି। ସେଠାରେ ନିୟୋଜିତ କର୍ମଚାରୀମାନେ ଖାଦ୍ୟ ପ୍ୟାକେଟ୍ ସଂଗ୍ରହ କରି ବନ୍ୟାପ୍ରଭାବିତ ଓ ଜଳବନ୍ଦି ଲୋକଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି।
ଏପଟେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରିଲିଫ୍ ସାମଗ୍ରୀ ପ୍ୟାକେଜିଂ କାର୍ଯ୍ୟ ଜୋରଦାର ଚାଲିଛି। ସେଠାରେ ପ୍ରାୟ ୫ ହଜାର ପ୍ୟାକେଟ୍ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳକୁ ଶୀଘ୍ର ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଅବିରତ ପ୍ରୟାସ ଜାରି ରହିଛି। ଏହି ସମୟରେ ବ୍ରହ୍ମପୁର ଆର୍ଡିସି ବିଜୟ ଅମୃତା କୁଳାଙ୍ଗେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ବନ୍ୟା ସ୍ଥିତି ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସହ ଆଲୋଚନା କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରେ ଉପସ୍ଥିତ ରହି ବନ୍ୟା ପରିସ୍ଥିତି, ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟକଳାପର ନିରନ୍ତର ମନିଟରିଂ କରୁଛନ୍ତି। ବନ୍ୟାପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ଉପରେ ପ୍ରଶାସନ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।


