ଆନନ୍ଦପୁରରେ ଦିନକୁ ଦିନ ଦୁର୍ବଳ ହେଉଛି ବିଜେଡି: ଶଙ୍ଖ ଛାଡି ପଦ୍ମ ଧରିଲେ ଯୁବ ସରପଞ୍ଚ ଓ ୫୦ରୁ ଉର୍ଦ୍ଧ ସମର୍ଥକ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ସୁଦୃଢ ହେବାରେ ଲାଗିଛି। ଏକଦା ବିଜେଡିର ଦୁର୍ଗ ସାଜିଥିବା ଏହି ନିର୍ବାଚନ ମଣ୍ଡଳୀରେ ଏବେ ଦୁର୍ବଳ ହେବାରେ ଲାଗିଛି ବିଜେଡି। ବିଜେଡିର ତୃଣମୂଳ ସ୍ଥରର କର୍ମୀ ମାନେ ବିଜେଡି ଛାଡି ବିଜେପିରେ ମିଶୁଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦଶନ୍ଧି ଧରି ଏଠାରେ ବିଜେଡି ରାଜ କରୁଥିବା ବେଳେ ଭାଗିରଥି ସେଠୀ, ମାୟାଧର ଜେନା, ଓ ଅଭିନନ୍ଦନ. ଅଭିମନ୍ୟୁ ସେଠୀ କ୍ରମାଗତ ବିଜୟ ହାସଲ କରିଆସିଛନ୍ତି। ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟ ଲାଭ କରି ବିଧାୟକ ହୋଇଛନ୍ତି। ସେତେବେଳେ ବିଜେପିର ଭୋଟ ହାର ବଢିଥିଲେ ବି ଦଳ ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ସରକାର ପରିବର୍ତନ ପରେ ଏଠାରେ ସବୁ ଯେପରି ପରିବର୍ତନ ହୋଇଯାଇଛି। ଯେଉଁମାନେ ଗତ ୨୪ବର୍ଷ ଧରି ବିଜେଡିର ମଙ୍ଗ ଧରିଥିଲେ ସେମାନେ ଏବେ ବିଜେପି ମୁଁହା। ତେଣୁ ସାଧାରଣ କର୍ମୀଙ୍କ କଥା ପଚାରେ କିଏ। ପୂର୍ବରୁ ଅନେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ କଂଗ୍ରେସର ଛାମୁଆ ନେତା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ଏବେ ବିଜେଡିର ତୃଣମୂଳ ସ୍ଥରର ନେତାମାନେ ବିଜେଡି ଛାଡି ବିଜେପି ମୁଁହା ହୋଇଛନ୍ତି। ଆଜି ହାଟଡିହି ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ପଞ୍ଚୁଗୋଛିଆ ପଞ୍ଚାୟତର ଯୁବ ସରପଞ୍ଚ ଇଂ ଦିନେଶ ସେଠୀ ତାଙ୍କର ୫୦ରୁ ଉର୍ଦ୍ଧ୍ଵ ୱାର୍ଡ ସଭ୍ୟସଭ୍ୟା ଓ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ସେମାନେ ପଞ୍ଚୁଗୋଛିଆ ରୁ ଏକ ବାଇକ ଶୋଭା ଯାତ୍ରାରେ ହାଟଡିହି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସୁରେଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମିନତୀ ମହାପାତ୍ର, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ସୁଶାନ୍ତ ଜେନା, ଶଶିକାନ୍ତ ରାଉତ,ମଣ୍ଡଳ ସମ୍ପାଦକ ଦେବାଶିଷ ସେନାପତି, ରୁଦ୍ର ପ୍ରସାଦ ଜେନା ପ୍ରମୁଖ ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛଦେଇ ଦଳକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ, ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତର ବିକାଶୋନ୍ମୁଖୀ କାର୍ଯ୍ୟକୁ ଆଗେଇ ନେବାକୁ ସେ ବିଜେପିରେ ସାମିଲ ହେଲେ ବୋଲି ସରପଞ୍ଚ ଶ୍ରୀ ସେଠୀ କହିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ବିନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ସରକାରଙ୍କ ଜନହିତକର ଯୋଜନା ଗୁଡିକ କାର୍ଯ୍ୟକାରୀ କରାଇ ଗରିବ ଲୋକଙ୍କ ସମସ୍ୟା ସମାଧାନ ଦିଗରେ କର୍ମୀ ମାନେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ଏପରି ମିଶ୍ରଣପର୍ବ ଜାରି ରହିବ ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ବିଧାୟକ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ କହିଛନ୍ତି ଯେ ଯେଉଁଠି ୨୪ ବର୍ଷ ଧରି ବିଧାୟକ ଅଛନ୍ତି ତାଙ୍କ ଅଞ୍ଚଳରୁ ବି କର୍ମୀମାନେ ଦଳ ଛାଡ଼ୁଛନ୍ତି, ମୁଁ ତ ନୂଆ ବିଧାୟକ ହୋଇଛି, ମୁଁ ତ କିଛି ସାହାଯ୍ୟ କରିପାରୁନି, ସେମାନେ ସରକାରୀ ଦଳକୁ ଯିବେ, ମୁଁ ବା କଣ କରିପାରିବି ବୋଲି କହିଛନ୍ତି।


