କଳିଙ୍ଗ ବୁଦ୍ଧ ଟ୍ରଷ୍ଟ ପକ୍ଷରୁ ବୁଦ୍ଧ ଜୟନ୍ତୀ
ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଇଣ୍ଡିଆ ସ୍ୱେଚ୍ଛାସେବୀ ସଂସ୍ଥାର ସମ୍ମିଳନୀ କକ୍ଷରେ କଳିଙ୍ଗ ବୁଦ୍ଧ ଟ୍ରଷ୍ଟ ପକ୍ଷରୁ ମହାକାରୁଣିକ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ବୁଦ୍ଧ ବନ୍ଦନା ପାଠ କରାଯାଇ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଏକ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷା ଡାକ୍ତର ଚିନ୍ମୟୀ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ନିଜର ମତ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ପ୍ରତ୍ୟେକ ପରିବାର ସ୍ତରରେ ଭଗବାନ ବୁଦ୍ଧଙ୍କ ପଞ୍ଚଶୀଳ ନୀତିକୁ ଧାରଣ କରି ସମାଜରେ ଶାନ୍ତି ପ୍ରତିଷ୍ଠା ହେବା ଦିଗରେ ଟ୍ରଷ୍ଟର ସମ୍ପାଦକ ଡ଼ଃ. କୁମୁଦ ଚନ୍ଦ୍ର ବେହେରା ଆଲୋକପାତ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାର ପୋଲସରା, ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ଭଞ୍ଜନଗର ଓ ଆସିକାରୁ ଶତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ। ବୁଗୁଡ଼ା ସ୍ଥିତ ବୁଦ୍ଧଖୋଲ ଠାରୁ ଗଜପତି ଜିଲ୍ଲାର ଜିରାଙ୍ଗ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଉଦ୍ଦେଶ୍ୟରେ ଏକ ପଦଯାତ୍ରା କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ମହେଶ୍ୱର ଖୋସଲା, ରଶ୍ମିତା ବେହେରା, ତରୁଣ କୁମାର, ସଂଗୀତା ପୋଲେଇ, ଟୁଲୁ ସେଠୀ, ଇତିଶ୍ରୀ ବେହେରା, କାମେଶ୍ୱର ଦୋରା ଓ କାହ୍ନୁ ଚରଣ ସେଠୀ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଡାକ୍ତର ପଦାରବିନ୍ଦ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।


