ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବ
ଛତ୍ରପୁର, (ଓ୍ବାଇଏନଏସ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଚାଷ ଜମିରେ ପାଣି ପଶି ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ କଚ୍ଚା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏସ୍ଆର୍ସିଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ୨ କୋଟି ଟଙ୍କା ମଲିଛି । କ୍ଷୟକ୍ଷତିର ସଠିକ ଆକଳନ ପରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ପରେ ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରାୟ ୩ ହଜାର ୫ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ଚାଷ ଜମିରୁ ପାଣି ନିଷ୍କାସନ ହେବା ପରେ ପ୍ରକୃତ ଫସଲ କ୍ଷୟକ୍ଷତିର ଆକଳନ କରାଯିବ। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୨୦ରୁ ୧୩୦ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ବର୍ଷା ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା ଓ ଆବଶ୍ୟକ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଖର୍ଚ୍ଚ କରାଯାଇଛି। ଏସବୁ କ୍ଷୟକ୍ଷତିର ସଠିକ ଆକଳନ ପରେ ଏସ୍ଆର୍ସିଙ୍କ ପକ୍ଷରୁ ମିଳିଥିବା ୨ କୋଟି ଟଙ୍କାରୁ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ।


