କାଟିଦେଲେ ଗଛ: ପ୍ରଚଣ୍ଡ ରୌଦ୍ର ତାପରେ ସନ୍ତୁଳିତ ପଥଚାରୀ
ହାଟଡିହି (ଓ୍ବାଇଏନଏସ): ଶହ ଶହ ଲୋକଙ୍କର ଲାଇଫ୍ ଲାଇନ୍ ଭାବେ ପରିଚିତ ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ । ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ଦୀର୍ଘ ୪୫ କିଲୋମିଟର ରାଜ୍ୟ ରାଜପଥ । ହେଲେ, ବିଡ଼ମ୍ବନାର ବିଷୟ, ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ନଥିବାରୁ ପ୍ରଚଣ୍ଡ ଖରାରେ ସମସ୍ୟା ଭୋଗୁଛନ୍ତି ପଥଚାରୀ । ରାସ୍ତା ସମ୍ପ୍ରସାରଣ ସମୟରେ ଶହ ଶହ ଗଛ କଟାଗଲା, ହେଲେ ପରେ ଗଛ ଲଗାଇବା ପାଇଁ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ, ପ୍ରଚଣ୍ଡ ରୌଦ୍ରତାପରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପଚଚାରୀମାନଙ୍କର କଷ୍ଟ ବଢ଼ିଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରୁ ଭଦ୍ରକ ଯିବା ପାଇଁ ୫୩ ନମ୍ବର ରାଜ୍ୟ ରାଜପଥ । ରାସ୍ତାକଡ଼ରେ ଠାଏ ଠାଏ ଉଠିଛି ଅନାବନା ଗଛ । ଯାହା, ଜଙ୍ଗଲ ଭଳି ଆଗକୁ ମାଡ଼ି ଯାଇଛି । ଦୀର୍ଘ ୪୫ କିଲୋମିଟର ଯାଏ ଆଗକୁ ଲମ୍ବିଛି ଏହି ରାସ୍ତା । କାଁ, ଭାଁ କେଉଁଠି ଛାଡ଼ିଦେଲେ, ରାସ୍ତାର ଉଭୟ ପାର୍ଶ୍ଵରେ ଗଛର ଚିହ୍ନବର୍ଣ୍ଣ ନାହିଁ । ଏବର୍ଷର ଖରା, ଗରମ, ଗୁଳୁଗୁଳି ପୂର୍ବବର୍ଷର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି । ଫଳରେ, ପ୍ରତିଦିନ ଏହି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଗଛଛାଇ ନପାଇ ହନ୍ତସନ୍ତ ହେଉଛନ୍ତି । ପ୍ରଚଣ୍ଡ ଖରାରେ ଅନ୍ୟ ଉପାୟ ନପାଇ , ମୁଣ୍ଡ ଉପରେ କେହି ପଖିଆ , କିଏ ଛତା ଏବଂ ଅନ୍ୟ କିଏ ମୁଣ୍ଡରେ ଗାମୁଛା ବାନ୍ଧି ଯିବାଆସିବା କରୁଛନ୍ତି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଆନନ୍ଦପୁରରୁ ଭଦ୍ରକ ସଂଯୋଗ କରୁଥିବା ଏହି ରାସ୍ତା ୨ଟି ଜିଲ୍ଲାର ଲୋକଙ୍କର ଲାଇଫ୍ ଲାଇନ୍ କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିସହ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରୁ ଆନନ୍ଦପୁର ଦେଇ ଭଦ୍ରକ ଯାଏ ବିଭିନ୍ନ କାମ ପାଇଁ ଲୋକମାନେ ଏହି ରାସ୍ତା ବ୍ୟବହାର କରିଥାନ୍ତି । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗାଁର ଶତାଧିକ ଲୋକ, ନିଜର ଦୈନନ୍ଦିନ କାମ ପାଇଁ ଏହି ରାସ୍ତାକୁ ହିଁ ବ୍ୟବହାର କରିଥାନ୍ତି । ରାସ୍ତା ସମ୍ପ୍ରସାରଣ ପୂର୍ବରୁ ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଗଛ ବାଟୋଇମାନଙ୍କୁ ଛାଇ ପ୍ରଦାନ କରୁଥିଲା । ହେଲେ, ୨୦୧୦-୧୧ ମସିହାରେ ରାସ୍ତା ସମ୍ପ୍ରସାରଣ ବେଳେ ସେସବୁ ଗଛ କାଟି ଦିଆଗଲା । ଗୋଟିଏ ଗଛ କାଟିଲେ, ୧୦ଟି ଗଛ ଲଗାଇବାର ପ୍ରାବଧାନ ଥିଲେ ସୁଦ୍ଧା ଏହି ରାସ୍ତା ପାର୍ଶ୍ଵରେ ବିଗତ ୧୫ବର୍ଷ ହେଲା ଗଛ ଲଗାଇବାକୁ କେହି ଗୁରୁତ୍ୱ ଦେଇ ନାହାଁନ୍ତି । ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ, ବନ ବିଭାଗ କିମ୍ବା ପରିବେଶବିତ୍ ଏଠାରେ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଛନ୍ତି ଲୋକେ। ଏ ସମ୍ପର୍କରେ ଆନନ୍ଦପୁର ଏସିଏଫ ଅଶୋକ ବିଶ୍ୱାଳଙ୍କୁ ପଚାରିବାରେ ତାହା ପୂର୍ତ୍ତ ବିଭାଗ କରିବା କଥା ବୋଲି କହିଛନ୍ତି।


