କଟକ ହାଇକୋର୍ଟ ବୋମା ଧମକ ମାମଲା: ସନ୍ଦିଗ୍ଧ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଲିଙ୍କ୍ ଖୋଜା ଜାରି
କଟକ, (ଓ୍ବାଇଏନଏସ): କଟକ ହାଇକୋର୍ଟ ବୋମା ଧମକ ମାମଲାରେ ନୂଆ ମୋଡ଼ । ଇମେଲ ଯୋଗେ ବାରମ୍ବାର କୋର୍ଟକୁ ବୋମା ଧମକ ମିଳୁଥିବାବେଳେ ଏ ନେଇ କମିସନରେଟ୍ ପୁଲିସ ତଦନ୍ତ ଜାରି ରଖିଥିଲା । ଏହି ମେଲ୍ କିଏ ଏବଂ କେଉଁଠାରୁ ଆସୁଛି, ସେ ନେଇ ସୁରାକ୍ ପାଇ କଟକ ପୁଲିସ ଟିମ୍ ତାମିଲନାଡ଼ୁ ପହଞ୍ଚିଥିଲା, ଯାହାପରେ ଏହି ମାମଲାର ତଦନ୍ତ କରି ଟିମ୍ ତାମିଲନାଡୁ ଗସ୍ତରୁ ଫେରିଛି । ନିକଟରେ ତାମିଲନାଡୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS) ଚେନ୍ନାଇ ବିମାନବନ୍ଦରରୁ ଗିରଫ କରିଥିବା ସଫ୍ଟୱେୟାର ଇଞ୍ଜିନିୟର ଶରତ ସୁବ୍ରମଣ୍ୟମ୍ ଶଙ୍କରଙ୍କ ସହ ଏହି ମାମଲାର କୌଣସି ସମ୍ପର୍କ ରହିଛି କି ନାହିଁ, ତାହାର ତଦନ୍ତ ପାଇଁ ପୁଲିସ ଏହି ଗସ୍ତ କରିଥିଲା ।ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟକୁ ବୋମା ଧମକ ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଶରତଙ୍କୁ ଗତ ଜୁଲାଇ ୨୨ ତାରିଖରେ ତାମିଲନାଡୁ ଏଟିଏସ୍ ଗିରଫ କରିଥିଲା । ସେ ବର୍ତ୍ତମାନ ତାମିଲନାଡୁର ଏକ ଜେଲରେ ଥିବାରୁ କଟକ ପୁଲିସ ସିଧାସଳଖ ପଚରାଉଚରା କରିପାରିନଥିଲା । ତେଣୁ କଟକ ହାଇକୋର୍ଟ ବୋମା ଧମକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ତାମିଲନାଡୁ ପୁଲିସ ଓ ଏଟିଏସକୁ ହସ୍ତାନ୍ତର କରାଯାଇଛି । ରିପୋର୍ଟରୁ ଜଣାପଡ଼ିଛି, କଟକ ହାଇକୋର୍ଟ ବୋମା ଧମକ ମାମଲାରେ ଶରତଙ୍କ ସମ୍ପୃକ୍ତି ନେଇ ଗଭୀର ଖୋଳତାଡ଼ ଚାଲିଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ଉଲ୍ଲେଖଯୋଗ୍ୟ, ସରତ ସୁବ୍ରମଣ୍ୟମ୍ ଶଙ୍କର ତାମିଲନାଡୁର ତିରୁନେଲଭେଳି ଜିଲ୍ଲାର ଆମ୍ବାସମୁଦ୍ରମ ଅଞ୍ଚଳର ବାସିନ୍ଦା । ସେ ଆମେରିକାର ଟେକ୍ସାସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ । ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହେବା ପରେ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ବୋମା ଧମକ ଘଟଣାର ତଦନ୍ତ ଜାରି ରହିଛି ।


