ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ ପାଳିତ

ବାଲେଶ୍ୱର, (ଓ୍ବାଇଏନଏସ): ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ବାଲେଶ୍ୱର ପକ୍ଷରୁ ନୋସି ବିଜନେସ୍ ପାର୍କ, ବାମପଦାଠାରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ–୨୦୨୬’ ର ଚତୁର୍ଥ ଦିବସରେ ‘ଛାତ୍ର ଓ ଯୁବ ଉଦ୍ୟୋଗୀ ଦିବସ’ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗୀ ହେବା ପ୍ରତି ସଚେତନତା ସୃଷ୍ଟି କରିବା ସହ ସରକାରଙ୍କ ବିଭିନ୍ନ ସ୍ୱରୋଜଗାର ଓ ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଅବଗତ କରାଇବା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ଲକ୍ଷ୍ମୀଧର ଜେନା, ଅଧ୍ୟକ୍ଷ, ସରକାରୀ ପଲିଟେକ୍ନିକ୍, ରେମୁଣା ଯୋଗଦେଇ ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବଦଳରେ ଚାକିରି ସୃଷ୍ଟିକାରୀ ଉଦ୍ୟୋଗୀ ହେବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ନୂତନ ଚିନ୍ତାଧାରା, ଦକ୍ଷତା ଓ ସରକାରୀ ସହାୟତାକୁ ସଠିକ୍ ଭାବେ ବ୍ୟବହାର କରି ଯୁବକମାନେ ସଫଳ ଉଦ୍ୟୋଗୀ ହୋଇପାରିବେ। ସମ୍ମାନିତ ଅତିଥି ଭାବେ ପ୍ରତାପ ଚନ୍ଦ୍ର ପାଢ଼ୀ, ନିର୍ଦ୍ଦେଶକ, ସିପେଟ୍, ମନୀଷ କୁମାର, ଡିଆଇପିଏ ଅଧିକାରୀ, କାର୍ତ୍ତିକ ଚନ୍ଦ୍ର ନାୟକ, ଜିଲ୍ଲା ମିଶନ ଶକ୍ତି ଅଧିକାରୀ, ଶାନ୍ତନୁ ବାନାର୍ଜୀ, ଉପ ମୁଖ୍ୟ ନିର୍ବାହୀ ଅଧିକାରୀ, ଓରମାସ, ସୂର୍ଯ୍ୟକାନ୍ତ ବେହେରା, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର,ବାଲେଶ୍ୱର ଏବଂ ଶଶୀ ଶେଖର ବେହେରା, ପୂର୍ବତନ ସହକାରୀ ଶିଳ୍ପ ଅଧିକାରୀ, ଭଦ୍ରକ ଯୋଗଦେଇ ଉଦ୍ୟୋଗ କ୍ଷେତ୍ରର ସମ୍ଭାବନା, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍, ସ୍ୱରୋଜଗାର ଏବଂ ସରକାରୀ ଯୋଜନାଗୁଡ଼ିକର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଳ୍ପ କେନ୍ଦ୍ର, ବାଲେଶ୍ୱରର ବରିଷ୍ଠ ସହକାରୀ ଶିଳ୍ପ ଅଧିକାରୀ ମମତା ପରିଡ଼ା ସଞ୍ଚାଳନ କରିଥିଲେ। ଶେଷରେ ସହକାରୀ ଶିଳ୍ପ ଅଧିକାରୀ ସତ୍ୟବ୍ରତ ନାୟକ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଉଦ୍ୟୋଗୀତା ସମ୍ପର୍କିତ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିଲେ। କାର୍ଯ୍ୟକ୍ରମଟି ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବିକାଶ ଦିଗରେ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ