ପୂଜା ପାର୍ବଣରେ ପ୍ରତିମା ବିସର୍ଜନ ଓ ଶବ୍ଦ ପ୍ରଦୂଷଣ ନିୟମକୁ ପାଳନ କରିବା ପାଇଁ ନିର୍ଦେଶ

ଗୁଣପୁର,  (ୱାଇ ଏନ ଏସ ): ଆଗାମୀ ପୂଜା ଓ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ରତିମା ନିର୍ମାଣ, ପୂଜା ଆୟୋଜନ, ପ୍ରତିମା ବିସର୍ଜନ ଏବଂ ଲାଉଡ୍‌ସ୍ପିକର, ଡିଜେ ଓ ସାଉଣ୍ଡ ସିଷ୍ଟମ୍‌ର ବ୍ୟବହାର ସମ୍ପର୍କିତ ଆଇନ ଓ ନିୟମର କଡ଼ାକଡ଼ି ପାଳନ ପାଇଁ ଗୁଣପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହିପରି ନିର୍ଦେଶନାମା ବିଳମ୍ବରେ ଜାରି କରାଯାଇଛି। ଗତକାଲି ରବିବାର ରାତିରେ ଗଣେଶ ମୂର୍ତ୍ତି ମେଢ଼ ବିସର୍ଜନ ସମୟରେ ଗ୍ରାମଦେବୀ ମନ୍ଦିର ଛକ ଏବଂ ହଳଦିଆ ନାଳ ଛକ ନିକଟରେ ଭସାଣିକୁ ନେଇ ଉତ୍ତେଜନା ଦେଖାଯାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ନିର୍ଦେଶନାମା  ଆଜି ଜାରି କରାଯାଇଥିବା ଆଲୋଚନା ହେଉଛି। ଗୁଣପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ପତ୍ର ସଂଖ୍ୟା ୩୪୮୪/XIII-07/2026-Judl., ତାରିଖ ୨୦.୦୯.୨୦୨୬ ମାଧ୍ୟମରେ ଗୁଣପୁର ପୌରପାଳିକା, ଗୁଡ଼ାରୀ ଓ ବିଷମକଟକ ଏନ୍‌.ଏ.ସି., ସମସ୍ତ ତହସିଲଦାର ଓ ବିଡିଓ ଏବଂ ଉପଖଣ୍ଡ ଅଧୀନସ୍ଥ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଏ ନେଇ ଅବଗତ କରାଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିସୂଚନା ସଂଖ୍ୟା ୧୭୯୩୭, ତାରିଖ ୦୪.୧୦.୨୦୨୧ ଅନୁଯାୟୀ ଆଇନ 2021ର ବ୍ୟବସ୍ଥାଗୁଡ଼ିକୁ କଡ଼ାକଡ଼ିରେ ପାଳନ କରିବାକୁ କୁହାଯାଇଛି। ପୂଜା କମିଟିଗୁଡ଼ିକୁ ପରିବେଶ ଅନୁକୂଳ ପ୍ରତିମା ବ୍ୟବହାର, ପ୍ରତିମାର ନିର୍ଦ୍ଧାରିତ ଉଚ୍ଚତା, ନିଷିଦ୍ଧ ସାମଗ୍ରୀ ବ୍ୟବହାର ନ କରିବା, ପ୍ରତିମା ବିସର୍ଜନ ପୂର୍ବରୁ ପୂଜା ଓ ସାଜସଜ୍ଜା ସାମଗ୍ରୀ ଅଲଗା କରିବା ଏବଂ ସିଙ୍ଗଲ୍‌-ୟୁଜ୍ ପ୍ଲାଷ୍ଟିକ୍‌, ଥର୍ମୋକଲ୍‌/ପଲିଷ୍ଟାଇରିନ୍‌ ବ୍ୟବହାର ନ କରିବା ଭଳି ବ୍ୟବସ୍ଥା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମର ୫ ଓ ୬ ଧାରା ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତ ପୂଜା କମିଟି ବିରୋଧରେ ନିୟମ ୭ ଓ ୧୫ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ନିୟମ ୧୫(୨) ଅନୁଯାୟୀ ପଞ୍ଚାୟତ ଅଞ୍ଚଳରେ ୩,୦୦୦ ଟଙ୍କା ଏବଂ ପୌରପାଳିକା/ଏନ୍‌.ଏ.ସି. ଅଞ୍ଚଳରେ ୫,୦୦୦ ଟଙ୍କା ଜରିମାନା ପଡିବ। ସମ୍ପୃକ୍ତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ପୂଜା ମଣ୍ଡପ ଓ ପ୍ରତିମାର ପୂର୍ବ ଯାଞ୍ଚ ସହିତ ଅଚାନକ ଯାଞ୍ଚ କରିବା ଏବଂ ଯାଞ୍ଚର ରେକର୍ଡ ସଂରକ୍ଷଣ କରିବାକୁ କୁହାଯାଇଛି। ସେହିପରି, ତହସିଲଦାର ଓ ବିଡିଓମାନଙ୍କୁ କ୍ଷେତ୍ରସ୍ତରରେ ଆବଶ୍ୟକ ସମନ୍ୱୟ କରି ପ୍ରତିମା ନିର୍ମାଣ, ପୂଜା ଆୟୋଜନ କିମ୍ବା ବିସର୍ଜନ ସମ୍ପର୍କିତ ଉଲ୍ଲଂଘନ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ, Odisha Fire Works & Loud Speaker (Regulations) Act, 1958ର ପ୍ରଯୋଜ୍ୟ ବ୍ୟବସ୍ଥା ଅନୁଯାୟୀ ଲାଉଡ୍‌ସ୍ପିକର, ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌, ଡିଜେ/ବାସ୍‌ ସାଉଣ୍ଡ ସିଷ୍ଟମ୍‌ ଏବଂ ଆତଶବାଜିର ବ୍ୟବହାର ନିୟନ୍ତ୍ରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର/ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ର ବ୍ୟବହାର ନିଷିଦ୍ଧ ସମୟରେ କୌଣସି ପ୍ରକାରର ଉଚ୍ଚଶବ୍ଦର ସାଉଣ୍ଡ ସିଷ୍ଟମ୍‌ ଚାଲୁ ନ କରିବାକୁ ସ୍ପଷ୍ଟ କରାଯାଇଛି। ପୂଜା ସମୟରେ କେତେକ ସ୍ଥାନରେ ଅତ୍ୟଧିକ ଶବ୍ଦ ଓ ଉଚ୍ଚ ଭଲ୍ୟୁମ୍‌ର ବେଶ ମ୍ୟୁଜିକ୍‌, ବିଶେଷକରି ବିଳମ୍ବିତ ରାତ୍ରିରେ, ଚାଲୁଥିବା ନେଇ ଅଭିଯୋଗ ମିଳୁଥିବାରୁ ଏହା ଉପରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯିବ। ପାଟ୍ରୋଲିଂ, ଯାଞ୍ଚ କିମ୍ବା ଜନସାଧାରଣଙ୍କ ଅଭିଯୋଗ ଆଧାରରେ ନିୟମ ଉଲ୍ଲଂଘନ ଚିହ୍ନଟ ହେଲେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ। ରାତି ୧୦ଟା ପରେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବା ସହିତ ଅତ୍ୟଧିକ ଶବ୍ଦ, ଅନଧିକୃତ ଲାଉଡ୍‌ସ୍ପିକର/ଡିଜେ ବ୍ୟବହାର କିମ୍ବା ଅନୁମୋଦିତ ସମୟସୀମା ପରେ ସାଉଣ୍ଡ ସିଷ୍ଟମ୍‌ ଚାଲୁଥିବା ସମ୍ପର୍କରେ ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ଯାଞ୍ଚ କରି ଦାୟୀ ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ ନିରପେକ୍ଷତା ଅଵଲମ୍ବନ କରି ଆଇନାନୁଗତ ପଦକ୍ଷେପ ନେବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ