ଲାଗୋସ୍ରେ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ଓଡ଼ିଆ ପୁଅ ଭି. ରମେଶ ରାଓ
ଛତ୍ରପୁର, (ଓ୍ବାଇଏନଏସ): ଅନ୍ତର୍ଜାତୀୟ ପାରା ଫେନ୍ସିଂ ମଞ୍ଚରେ ପୁଣିଥରେ ଚମକିଛନ୍ତି ଛତ୍ରପୁରର ଓଡ଼ିଆ ପୁଅ ଭି.ରମେଶ ରାଓ। ନାଇଜେରିଆର ଲାଗୋସ୍ଠାରେ ଚାଲିଥିବା ୨୦୨୬ କମନୱେଲ୍ଥ ଫେନ୍ସିଂ ଚାମ୍ପିୟନସିପ୍ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସଫଳତା ପରେ ଛତ୍ରପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଆନନ୍ଦ ଓ ଗର୍ବର ମାହୋଲ ସୃଷ୍ଟି ହୋଇଛି। ନାଇଜେରିଆ ପ୍ରଥମଥର ପାଇଁ କମନୱେଲ୍ଥ ଫେନ୍ସିଂ ଚାମ୍ପିୟନସିପ୍ର ଆୟୋଜକ ହୋଇଥିବାବେଳେ ଲାଗୋସ୍ରେ ଅଗଷ୍ଟ ୯ରୁ ୧୩ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିଛି। ଏଥିରେ ପାରା ଫେନ୍ସିଂକୁ ମଧ୍ୟ ସାମିଲ କରାଯାଇଛି। ଏହି ଅନ୍ତର୍ଜାତୀୟ ମଞ୍ଚରେ ରମେଶ ରାଓଙ୍କ ସ୍ୱର୍ଣ୍ଣ ବିଜୟ ଓଡ଼ିଶାର ପାରା କ୍ରୀଡ଼ା କ୍ଷେତ୍ର ପାଇଁ ଏକ ବଡ଼ ସଫଳତା ଭାବେ ବିବେଚିତ ହୋଇଛି। ଛତ୍ରପୁର ଗିଲିଟିପେଟାସାହିର ବାସିନ୍ଦା ଭି.ରମେଶ ରାଓ ଓଡ଼ିଶା ପାରା ସ୍ପୋର୍ଟସ୍ ଆସୋସିଏସନ୍ ସହ ଜଡ଼ିତ ଥିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଅନେକ ପଦକ ହାସଲ କରିଛନ୍ତି। ଛତ୍ରପୁରର ଏହି ପ୍ରତିଭାବାନ୍ ପାରା-ଫେନ୍ସରଙ୍କ ଅନ୍ତର୍ଜାତୀୟ ସଫଳତା ଆଜି କେବଳ ଛତ୍ରପୁର କିମ୍ବା ଗଞ୍ଜାମ ନୁହେଁ, ସମଗ୍ର ଓଡ଼ିଶା ଓ ଭାରତ ପାଇଁ ଗର୍ବର ବିଷୟ ପାଲଟିଛି। ଦୃଢ଼ ଇଚ୍ଛାଶକ୍ତି, ନିରନ୍ତର ଅଭ୍ୟାସ ଓ ପରିଶ୍ରମ ଦ୍ୱାରା ରମେଶ ରାଓ ଅନ୍ୟ ପାରା-କ୍ରୀଡ଼ାବିତ୍ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଲାଗୋସ୍ର ସ୍ୱର୍ଣ୍ଣ ବିଜୟ ତାଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଯାତ୍ରାରେ ଆଉ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ିଛି।


