କୃଷି ବିଭାଗର ଆନ୍ତରିକତା ଅଭାବ : ସୂର୍ଯ୍ୟମୁଖୀ ଚାଷ ପ୍ରତି ବିମୁଖ ଚାଷୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କୃଷି ବିଭାଗ ପକ୍ଷରୁ ଏକଦା ଲାଭ ଦାୟକ ସୂର୍ଯ୍ୟମୂଖୀ ଚାଷ ପ୍ରତି ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଥିଲା। ଚାଷୀଙ୍କୁ ବିହନରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସହଯୋଗ କରାଯାଉଥିଲା। ମାତ୍ର ଏବେ କୃଷି ବିଭାଗ ସବୁଥିରେ ଅଙ୍କୁଶ ଲଗାଇଛି। ନା ଚାଷୀ ଙ୍କୁ ପ୍ରୋତ୍ସାହିତ କରୁଛି ନା ସଚେତନ କରୁଛି। ଏମିତିକି କୃଷି ବିଭାଗ ବ୍ଲକରୁ ସୂର୍ଯ୍ୟମୂଖୀ ଚାଷ ପ୍ରତି ଆନ୍ତରିକତା ଦେଖାଉନଥିବାରୁ ଏବେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ସୂର୍ଯ୍ୟମୁଖୀ ଲୋପ ପାଇଛି। ଚାଷୀ ଏହି ଚାଷ ପ୍ରତି ବିମୁଖ ହୋଇଥିବା ଅଭିଯୋଗ ହେଉଛି। ଅସ୍ତରଙ୍ଗ ବ୍ଲକର ଅଧିକାଂଶ ଚାଷୀ ମୁଖ୍ୟତଃ ଖରିଫ ଧାନ ଚାଷ ଉପରେ ନିର୍ଭରଶୀଳ।ବ୍ଲକରେ ଖରିଫ ଋତୁରେ ସର୍ବାଧିକ ଧାନ ଚାଷ କରାଯାଏ। ପୂର୍ବରୁ ଧାନ ଚାଷରେ ସେଭଳି ଲାଭ ହେଉନଥିଲା। ତେଣୁ ଅନେକ ଚାଷୀ ରବି ଋତୁରେ ପନିପରିବା ଚାଷ ଶହ କିଛି ଚାଷୀ ଜମିରେ ସୂର୍ଯ୍ୟମୁଖୀ ଚାଷ କରିବାକୁ ଆଗଭର ହୋଇଥିଲେ। ବିଶେଷ କରି ମହାମାରୀ କରୋନା ପରେ ସୂର୍ଯ୍ୟମୁଖୀ ଚାଷ ବହୁଳ ମାତ୍ରାରେ କରାଯାଇଥିଲା। ଅସ୍ତରଙ୍ଗ ବ୍ଲକ ଅଂଚଳର ବେଗୁନିଆବସ୍ତ, ମାଣ୍ଡୁକି, ନଗର, ଶିଶୁଅ, କେନ୍ଦ୍ରାପଟି, ନଈ ଗୁଆଁ ଆଦି ଅଂଚଳରେ ବହୁ ଯୁବଚାଷୀ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିଲେ। ଶହ ଶହ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଉଥିଲା। ସରକାର ମଧ୍ୟ ଏଥିପାଇଁ ଚାଷୀଙ୍କୁ ମାଗଣାରେ ମଞ୍ଜି ଯୋଗାଇ ଦେବା ସହିତ ଚାଷ ପ୍ରଣାଳୀ ନେଇ ଚାଷୀଙ୍କୁ ସଚେତନ କରୁଥିଲେ। କୃଷି ଅଧିକାରୀ ସୂର୍ଯ୍ୟମୁଖୀ ଚାଷୀଙ୍କୁ ସମୟ ସମୟରେ ଭେଟି ପରାମର୍ଶ ଦେବା ସହିତ ସେମାନଙ୍କ ସମସ୍ୟା ବୁଝୁଥିଲେ। ୨ ରୁ ୩ ବର୍ଷ ଧରି ବହୁଳ ପରିମାଣରେ ଏହି ଚାଷ କରି ବହୁ ଚାଷୀ ସ୍ୱାବଲମ୍ବି ହୋଇପାରିଥିଲେ। ଏବେ ଏହି ଚାଷ ବୁଡିଗଲାଣି। କୃଷି ବିଭାଗ ସୂଚନା ମୁତାବକ, ଗତ ବର୍ଷ କିଛି ଚାଷୀ ଯଦିଓ ଚାଷ କରିଥିଲେ କିନ୍ତୁ ଚଳିତ ବର୍ଷ ପର୍ଯ୍ୟାପ୍ତ ପରିମାଣର ଜମିରେ ଚାଷ କରିବାକୁ ମଞ୍ଜି ଆସିନାହିଁ, ଆଗାମୀଦିନରେ ଆସିବାକୁ ଅଛି। ମଞ୍ଜିର ଅଭାବ ସହ ସରକାରଙ୍କ ପ୍ରୋତ୍ସାହନ ନ ମିଳିବାରୁ ଏହି ଚାଷ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଲୋପ ପାଇବାକୁ ବସିଲାଣି। ତେବେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ସୂର୍ଯ୍ୟମୁଖୀ ଚାଷ କରିବାକୁ ଅନେକ ଉପଯୋଗୀ ଜମି ରହିଛି। ଏହି ଚାଷ ପ୍ରତି ଚାଷୀଙ୍କର ଆନ୍ତରିକତା ରହିଛି, ହେଲେ ସଚେତନତା ଅଭାବରୁ ଏଭଳି ଏକ ଲାଭ ଦାୟକ ଚାଷ ଆଉ ସେତେ ମାତ୍ରାରେ ହେଉନାହିଁ। ୨୦୨୪ରେ ବାଲିପନ୍ତାଳ, କୋରଣା, ଶିଶୁଅ ର ପ୍ରାୟତଃ ଚାଷୀ ପାଖାପାଖି ୪୦ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଥିଲେ। ଚାଷ ସଠିକ ଭାବେ ଶେଷ ହେବା ସହିତ ଚାଷ କରି ଚାଷୀ ମଧ୍ୟ ଲାଭବାନ ହୋଇଥିଲେ। ଏହି ଚାଷରୁ ଭଲ ଉପାର୍ଜିତ ହେବା ଦେଖି ଅନ୍ୟ ଗ୍ରାମ ଗୁଡିକରେ ବହୁ ଚାଷୀ ଚାଷ କରିବାକୁ ମନ ବଳାଇଥିଲେ। ଏବେ କିନ୍ତୁ ସୂର୍ଯ୍ୟମୂଖୀ ଚାଷ କରାଯାଉନାହିଁ। କାହିଁକି କରାଯାଉ ନାହିଁ ତାହାର ଉତ୍ତର କୃଷି ବିଭାଗ ନିକଟରେ ନାହିଁ।ଏଥିପ୍ରତି ଜିଲ୍ଲା କୃଷି ବିଭାଗ ଦୃଷ୍ଟି ଦେବା ସହିତ ସଚେତନ କରିଲେ ପୁନର୍ବାର ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମର ଚାଷୀ ଏହି ଚାଷ କରିବାକୁ ମନ ବଳାଇବେ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ