କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଜୋରଦାର

କଟକ, (ଓ୍ବାଇଏନଏସ): ଐତିହାସିକ ସହର କଟକର ପ୍ରମୁଖ ରେଳ ଯୋଗାଯୋଗ କେନ୍ଦ୍ର କଟକ ରେଳ ଷ୍ଟେସନ ଏବେ ଆଧୁନିକ ରୂପ ନେଉଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନର ପୁନଃବିକାଶ କାର୍ଯ୍ୟ କରାଯାଉଛି। ପ୍ରାୟ ୩୦୩ କୋଟି ଟଙ୍କା ବ୍ୟୟରେ କଟକ ରେଳ ଷ୍ଟେସନକୁ ଏକ ଆଧୁନିକ ଓ ଯାତ୍ରୀ-ଅନୁକୂଳ ପରିବହନ କେନ୍ଦ୍ର ଭାବେ ବିକଶିତ କରାଯାଉଛି। ପୁନଃବିକାଶ ଯୋଜନାରେ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଯାତ୍ରୀଙ୍କ ପାଇଁ ଆଧୁନିକ ପ୍ରତୀକ୍ଷାଳୟ, ଟିକେଟ୍ କାଉଣ୍ଟର, ଏସ୍କାଲେଟର, ଲିଫ୍ଟ, ଶୌଚାଳୟ, ପାର୍କିଂ ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ କରାଯାଉଛି। ଷ୍ଟେସନର ଦ୍ୱିତୀୟ ପ୍ରବେଶପଥ ଓ ଇଷ୍ଟ ସାଇଡ୍ ଷ୍ଟେସନ ବିଲ୍ଡିଂ ମଧ୍ୟ ଏହି ବିକାଶ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ୨୦୨୪ ଡିସେମ୍ବରରେ ଏହି ନୂଆ ପ୍ରବେଶପଥ ଓ ଷ୍ଟେସନ ବିଲ୍ଡିଂ ଉଦ୍‌ଘାଟିତ ହୋଇଥିଲା। ପ୍ରାୟ ୨୧,୨୭୦ ବର୍ଗଫୁଟ୍‌ର ଏସି ଅଞ୍ଚଳ, ପ୍ରାୟ ୨,୧୦୦ ବର୍ଗଫୁଟ୍‌ର ଫୁଡ୍ କୋର୍ଟ, ଆଧୁନିକ ଶୌଚାଳୟ, ପ୍ରତୀକ୍ଷାଳୟ, ଲିଫ୍ଟ ଓ ଏସ୍କାଲେଟର ଭଳି ସୁବିଧା ଏଠାରେ ରହିଛି। ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର, ଏଟିଏମ୍ କିଓସ୍କ, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍‌ ଏବଂ ‘One Station One Product’ ଅଧୀନରେ ସ୍ଥାନୀୟ ଉତ୍ପାଦ ବିକ୍ରୟର ବ୍ୟବସ୍ଥା ମଧ୍ୟ କରାଯାଇଛି। କଟକ ରେଳ ଷ୍ଟେସନର ଏହି ପୁନଃବିକାଶ ଫଳରେ ଯାତ୍ରୀଙ୍କ ଯାତାୟାତ ଅଧିକ ସୁଗମ ହେବା ସହ ଷ୍ଟେସନର ସାମଗ୍ରିକ ଭିତ୍ତିଭୂମି ଓ ଯାତ୍ରୀ ସେବାରେ ଉନ୍ନତି ଆସିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଓଡ଼ିଶାର ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ବିକଶିତ କରାଯାଉଥିବା ବେଳେ କଟକ ମଧ୍ୟ ଏହି ପ୍ରକଳ୍ପର ଅଂଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ