ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ ଯୋଗଦେଲେ ଖଣି ମନ୍ତ୍ରୀ ଓ ସାଂସଦ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୨୫ ତମ ପ୍ରତିଷ୍ଠା ଉତ୍ସବ ଅବସରରେ ଗତ ସୋମବାର ଠାରୁ ୩ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ରଜତ ଜୟନ୍ତୀ ସମାରୋହ ବୁଧବାର ବିଳମ୍ୱିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ପ୍ରମୁଖ ବିରୋଧୀ କୁହାଯାଉଥିବା ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ଅନ୍ୟତମ ଅତିଥି ଭାବେ ଗୋଟିଏ ମଞ୍ଚରେ ବସି ରହିବା ଗଞ୍ଜାମ ଜିଲ୍ଲା ର ରାଜନୈତିକ ପାଣିପାଗ କୁ ପୁଣି ଥରେ ବଦଳାଇ ଦେଇଛି।ଦୀର୍ଘଦିନ ହେଲା ଖଣି ମନ୍ତ୍ରୀ ଯେଉଁଠି କି ଯିବେ ସାଂସଦ ସେଠାକୁ ଯାଉନଥିଲେ। ସେ ଦୁହେଁ ପରସ୍ପର ମଧ୍ୟରେ ମନ୍ତବ୍ୟ ଦେଉନଥିଲେ ମଧ୍ୟ ସେମାନଙ୍କ ସମର୍ଥକ ମାନେ ପରସ୍ପର ବିରୋଧରେ ଖୁଲମ ଖୁଲା କହି ବୁଲୁଥିଲେ।କିନ୍ତୁ ଦିଗପହଣ୍ଡି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରୀ ସାଂସଦ ଙ୍କୁ ଭାଇନା ବୋଲି ସମ୍ବୋଧନ କରିବା ସହ ଗୁରୁବାର ଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ସଭା ମଞ୍ଚରେ ନିମନ୍ତ୍ରଣ କରିଥିବା ସମସ୍ତଙ୍କ ପାଇଁ ଭ୍ରୂ କୁଞ୍ଚନ ସୃଷ୍ଟି କରିଥିଲା।ଖଣି ମନ୍ତ୍ରୀ ସଭାରେ ଉଦବୋଧନ ଦେଇ ଗଞ୍ଜାମ ଜିଲ୍ଲାର ବହୁ ପ୍ରତିକ୍ଷିତ ବାହୁଦା ନଦୀ ମୁହାଣରେ ଖୁବଶୀଘ୍ର ବୃହତ୍ ବନ୍ଦର ପ୍ରତିଷ୍ଠା ହେବ। ଏଥିନିମନ୍ତେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିସାରିଛି।ଏଥି ନିମନ୍ତେ ୨୬ ହଜାର କୋଟି ବ୍ୟୟ ବରାଦ କରାଯାଇଛି।୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ଛତ୍ରପୁର ନିକଟ ସେଜ ଟାଟା ଶିଳ୍ପ ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିସାରିଛନ୍ତି।ଗଞ୍ଜାମ ରେ ଆଇଜର କ୍ୟାମ୍ପସ ହୋଇଛି।ଖୁବ୍ ଶୀଘ୍ର ନାଇଜର କ୍ୟାମ୍ପସ ମଧ୍ୟ ଉଦଘାଟନ ହେବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବଳିଷ୍ଠ ଉଦ୍ୟମରେ ଅଷ୍ଟ୍ରେଲିଆ ର ଏକ ୟୁନିଭରସିଟି ଖୁବଶୀଘ୍ର ଗଞ୍ଜାମରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବ ବୋଲି ସ୍ଥିରୀକୃତ ହୋଇଛି।ଏଠାରେ ଆଇଆଇଟି କ୍ୟାମ୍ପସ ନିମନ୍ତେ ଏମଓୟୁ ହୋଇସାରିଥିବା ସେ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ। ବ୍ରହ୍ମପୁର ଏମ.ପି ଡ . ପ୍ରଦୀପ କୁମାର ପାଣିଗ୍ରାହୀ , ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜ , ଦକ୍ଷିଣ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତି ପ୍ରାକ୍ତନ ସମ୍ପାଦକ ରାମ ପ୍ରସାଦ ପଟ୍ଟନାୟକ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଞ୍ଜାମ ଜିଲା ବିଭାଗ କାର୍ଯ୍ଯବାହ ମନୋଜ କୁମାର ଚୌଧୁରୀ ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହପ୍ରାନ୍ତ କାର୍ଯ୍ଯବାହ ରବିନାରାୟଣ ପଣ୍ଡା , ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅତିଥି ପରିଚୟ ଏବଂ ସ୍ବାଗତ ଅଭିଭାଷଣ ଦେଇଥିଲେ । ପ୍ରଧାନାଚାର୍ଯ୍ଯ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ମିଳିତ ସଂଯୋଜନାରେ ଉଦଯାପନୀ ସମାରୋହରେ ମଞ୍ଚାସିନ ଅତିଥି ବୃନ୍ଦ ବିଦ୍ୟାମନ୍ଦିର ର ସର୍ବବିଧ ବିକାଶ ଏବଂ ଛାତ୍ରୀ ଛାତ୍ର ଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଗୁରୁ ଦାୟିତ୍ବ ବହନ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ ମାନଙ୍କୁ ପ୍ରଶଂସା କରିବା ସହ ଅଧ୍ୟୟନରତ ଛାତ୍ରୀଛାତ୍ର ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ୨୫ ବର୍ଷ ପୂର୍ବେ ବିଦ୍ୟାମନ୍ଦିର ମାତ୍ର ୧୨ ଛାତ୍ରୀ ଛାତ୍ରଙ୍କୁ ଗଢି ଉଠିଥିବା ବେଳେ ବର୍ତ୍ତମାନ ୧୨ ଶହରୁ ଊର୍ଦ୍ଧ୍ବ ଛାତ୍ରୀ ଛାତ୍ର ଏଠାରେ ଅଧ୍ୟୟନ ରତ ରହିଛନ୍ତି । ତେଣୁ ବିଦ୍ୟାମନ୍ଦିର କୁ ନିଜ କାନ୍ଧର ବୋଝ ଭାବି ସହଯୋଗ ଯୋଗାଇ ଆସୁଥିବା ବହୁ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ଵାରା ସମାରୋହରେ ସମ୍ମାନିତ କରାଯାଇଥିଲା । ଏଥିସହ ପୂର୍ବତନ ଛାତ୍ରୀ ଛାତ୍ର ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଛାତ୍ର ଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଜାତୀୟ ଓ ରାଜ୍ୟ ସ୍ତରରେ ପୁରସ୍କୃତ ପ୍ରାପ୍ତ ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମଧ୍ୟାହ୍ନରେ ଆଚାର୍ଯ୍ୟ ବାବୁଲା ପଣ୍ଡା ଓ ପୂର୍ବତନ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ସାହୁଙ୍କ ମିଳିତ ସଂଯୋଜନାରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ରୁ ବହୁ ସଂଖ୍ୟକ କବି ଉପସ୍ଥିତ ରହି ସ୍ବରଚିତ କବିତା ଆବୃତ୍ତି କରିଥିଲେ।ପରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା ସମିତି ଯୁଗ୍ମ ସମ୍ପାଦକ ଏସ.ସୁଶାନ୍ତ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ସନ୍ଧ୍ୟାରେ ସଭାକାର୍ଯ୍ୟ ସରିବା ପରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଙ୍କ ରଚନା ଓ ନିର୍ଦ୍ଦେଶନା ରେ ଛାତ୍ରୀ ଛାତ୍ର ମାନଙ୍କ ପକ୍ଷରୁ ” ସୁଖ ହଜିଗଲା ଅଧା ବାଟରେ” ଶିକ୍ଷଣୀୟ ସାମାଜିକ ନାଟକ ପରିବେଷଣ ପରିବେଷଣ କରାଯାଇଥିଲା। ସମସ୍ତ ଆଚାର୍ଯ୍ୟା,ଆଚାର୍ଯ୍ୟ ଏବଂ ପରିଚାଳନା ସମିତି କାର୍ଯକର୍ତ୍ତା ଓ ସଭ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


