ଦିଗପହଣ୍ଡିରେ ବନ୍ୟା ସ୍ଥିତି ପରିଦର୍ଶନ କଲେ ବିଧାୟକ ସିଦ୍ଧାନ୍ତ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦିଗପହଣ୍ଡି ଏନ୍ଏସି ଅଧିନ ବିଭିନ୍ନ ସାହି ବସ୍ତି ରେ ଥିବା ଲୋକଙ୍କ ଘରେ ପାଣି ପ୍ରବେଶ କରିବା ସହ ମୁଖ୍ୟରାସ୍ତା ମାନଙ୍କରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଗୁରୁବାର ଅପରାହ୍ନରେ ଦିଗପହଣ୍ଡି ଏନ୍ଏସି ଗସ୍ତ କରି ସ୍ଥିତି ପରଖିବା ସହ ପ୍ରଭାବିତ ସାହି,ବସ୍ତି ବୁଲି ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦିଗପହଣ୍ଡିରେ ସୋମବାର ରାତିରୁ ଗୁରୁବାର ସକାଳ ଯାଏଁ ପ୍ରବଳ ବର୍ଷା ଲାଗି ରହିଥିଲା ।ଫଳରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵରେ ପ୍ରାୟ ୩ ରୁ ୪ ଫୁଟ ବର୍ଷା ଜଳ ପ୍ରବାହିତ ହେଉଥିଲା । ସେହିପରି ଚିକିଟି ରୋଡର ମେଡିକାଲ ରାସ୍ତା ଠାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ୨ ଫୁଟ୍ ପାଣି ପ୍ରଖର ସ୍ରୋତରେ ଗତି କରିବା ସହ ବିଷ୍ଣୁପ୍ରିୟା ନଗର , କାଳିଆ ନଗର , ଲକ୍ଷ୍ମୀନୃସିଂହ ନଗର ଏବଂ ଦଳିତ ସାହିରେ ଲୋକଙ୍କ ଘରେ ବର୍ଷାଜଳ ଲହଡ଼ି ଭାଙ୍ଗିଥିଲା । ଏହିପରି ୩ ନଂ ୱାର୍ଡ ପିଏଚଡି ଅଫିସ ନିକଟ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେବାରୁ ଅନେକ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ଘରୁ ବାହାରିବା ଅସମ୍ଭବ ହୋଇଥିଲା । ଦୀର୍ଘ ୪ ଦିନ ଭୀଷଣ ବର୍ଷା ହେବାରୁ ସମଗ୍ର ଦିଗପହଣ୍ଡି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅନେକ ସାହିରେ ଲୋକମାନେ ଜଳବନ୍ଦୀ ଘେରରେ ରହିଥିବା ଜଣାପଡିଛି । ବିଧାୟକ ଦିଗପହଣ୍ଡିର ପିଏଚଡ଼ି ରୋଡ , ବସଷ୍ଟାଣ୍ଡ ରାସ୍ତା ଏବଂ ଚିକିଟି ମୁଖ୍ୟରାସ୍ତା ର ସାହାଣୀ ସାହି, ଦଳିତ ସାହି,ବସ୍ତି ଏବଂ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ସେ ସାହି ସାହି ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ ଜଳବନ୍ଦୀ ଲୋକଙ୍କ ଘରର ପରିସ୍ଥିତି ଦେଖି ସେମାନଙ୍କୁ ଆଶ୍ବସନା ଦେଇଥିଲେ । ଏପରିକି ଏହାର ସ୍ଥାୟୀ ସମାଧାନ ନିମନ୍ତେ ସେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , କାଉନସିଲର ସୁଶାନ୍ତ କୁମାର ପାତ୍ର , ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ ସମେତ ସ୍ଥାନୀୟ ବହୁ ସଚେତନ ନାଗରିକ ବୃନ୍ଦ ଉପସ୍ଥିତ ଥିଲେ ।


