ନୂଆ ବର୍ଷରେ ହଦଗଡ଼ ଓ ଗଡ଼ଚଣ୍ଡୀରେ ୨୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ
ହାଟଡିହି,(ଓ୍ବାଇଏନଏସ): ହାଟଡିହି ବ୍ଲକ୍ର ଦୁଇଟି ପ୍ରମୁଖ ପର୍ଯ୍ୟଟନସ୍ଥଳ ହଦଗଡ଼ ଓ ଗଡ଼ଚଣ୍ଡୀରେ ନୂଆବର୍ଷରେ ୨୦ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କ ଭିଡ଼ ଜମିଛି| ବଣଭୋଜି ସାଙ୍ଗକୁ ବୁଲାବୁଲି କରିବାକୁ କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକ ଏଠାକୁ ଆସିଥିଲେ । ଦୁଇ ପର୍ଯ୍ୟଟନସ୍ଥଳ ଆଜି ଲୋକାରଣ୍ୟ ହୋଇ ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ମା’ ଗଡ଼ଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ବଣଭୋଜି କରିଥିଲେ। ସେହିପରି ନୂଆବର୍ଷରେ ଭୋଜି କରିବାପାଇଁ ଦୂର ଦୁରାନ୍ତରୁ ପର୍ଯ୍ୟଟକମାନେ ହଦଗଡ଼ ଡ୍ୟାମ୍କୁ ଛୁଟି ଆସିଥିଲେ। ଡିଜେ ସାଉଣ୍ଡରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ନଦୀ କୂଳରେ ଭୋଜିଭାତର ଆସର ଜମିଥିଲା। ଏତେ ଲୋକଙ୍କ ଭିଡ଼ ହୋଇଥିଲେ ବି ସ୍ଥାନୀୟ ସ୍ବେଛାସେବୀ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲାଗିପଡ଼ିଥିଲେ। ବିଶେଷ କରି ଗାଡି ଗୁଡିକୁ ପାର୍କିଂ କରାଇବା ଓ ପର୍ଯ୍ୟଟକ ମାନେ କିପରି ଭୋଜି ଭାତ କରି ସୁରକ୍ଷିତ ଭାବେ ଫେରିବେ ସେନେଇ ସୋସୋ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ସେହିପରି ଗଡ଼ଚଣ୍ଡୀ ପୀଠରେ ଗଡ଼ଚଣ୍ଡୀ ଯୁବ ପରିଷଦ ସଦସ୍ୟମାନେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସକୁ ସହଯୋଗ କରିଥିଲେ। ସେହିପରି ନିକଟସ୍ଥ ଚକତୀର୍ଥରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।


