ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷକ-ଅଭିଭାବକ ସଂଘ ବୈଠକ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜୁଲାଇ ୨୬ ତାରିଖ ଦିନ ଶିକ୍ଷକ-ଅଭିଭାବକ ସଂଘର ବୈଠକ କଲେଜର ୨୨ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ୨୦୨୫-୨୬ ଶିକ୍ଷାବର୍ଷର ଏହି ବୈଠକକୁ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। +୩ ତୃତୀୟ ବର୍ଷ ଛାତ୍ରୀ ରୂପାଲି ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ +୩ ତୃତୀୟ ବର୍ଷର ଛାତ୍ରୀ ପୂଜା ଗୌଡ଼ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଶିକ୍ଷକ-ଅଭିଭାବକ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟ ଉପସ୍ଥାପନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଲୋକନାଥ ବେହେରା ବିଭାଗର ନୀତି ନିୟମ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରଖିବାକୁ ପରାମର୍ଶ ଦେଇଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ଛାତ୍ରଛାତ୍ରୀ ବୃନ୍ଦ ଲଗାତାର ବିଶ୍ୱବିଦ୍ୟାଳୟରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହି ବିଭାଗ ଓ କଲେଜ ପାଇଁ ସୁନାମ ଅର୍ଜନ କରିଥିଲେ ବୋଲି ପ୍ରକାଶ କରିଥିଲେ। ସେହି ଗୌରବକୁ ବଜାୟ ରଖିବା ପାଇଁ ଉତ୍ତମ ଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ୫୦ ଜଣ ଅଭିଭାବକ ସହ ପୁରାତନ ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ +୩ ତୃତୀୟ ବର୍ଷ ଛାତ୍ରୀ ରେସ୍ମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।


