ରେଳବାଇ ଜିଏମଙ୍କ ମୁନିଗୁଡା ଗସ୍ତ
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ପୂର୍ବତଟ ରେଳପଥର ଜେନେରାଲ ମେନେଜର ପରମେଶ୍ୱର ପଙ୍କୱାଲ ଶୁକ୍ରବାର ବ୍ୟକ୍ତିଗତ ରେଳ ଯୋଗେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବାକୁ ଆସିଥିବା ବେଳେ ମୁନିଗୁଡା ରେଳ ଷ୍ଟେସନରେ ପହଞ୍ଚି ଅମୃତ ଭାରତ ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ବହୁ ସଂଖ୍ୟାରେ ସଦସ୍ୟ ମାନେ ରେଳ ଷ୍ଟେସନରେ ପହଞ୍ଚି ଜିଏମ ଶ୍ରୀ ପଙ୍କୱାଲଙ୍କୁ ଭେଟି ମୁନିଗୁଡ଼ା ଅଞ୍ଚଳର ୧୪ବର୍ଷ ଧରି ହୋଇ ଆସୁଥିବା ନ୍ୟାର୍ଯ୍ୟ ଦାବି ଭୂତଳ ରାସ୍ତାର ବିଳମ୍ବିତ ଆରମ୍ଭକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏହି ବିଷୟ ଉପରେ ଆଲୋଚନା କରିଥିଲେ। ପରେ ମୁନିଗୁଡାର ତିନିକୋଣିଆ ଛକ ନିକଟସ୍ଥ ରେଳ ଗେଟ ପାଖରେ ଭୂତଳ ରାସ୍ତା ନିର୍ମାଣ ଓ ରାୟଗଡା ନୂତନ ରେଳ ଡିଭିଜନରେ ମୁନିଗୁଡ଼ାକୁ ସାମିଲ କରିବା ଦୁଇଟି ପ୍ରମୁଖ ଦାବିକୁ ନେଇ ଆଲୋଚନା କରିବା ସହ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଜିଏମ ସମସ୍ତ ଆଲୋଚନା କରିବା ପରେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବ,ସେଥିପାଇଁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଗତି ମଞ୍ଚ ତରଫରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଦେଇଥିଲେ ପୂର୍ବରୁ ଆନ୍ଦୋଳନ ସମୟରେ ଏହିଭଳି ମିଥ୍ୟା ପ୍ରତିଶୃତି ସେମାନେ ବର୍ଷ ବର୍ଷ ହେବ ଶୁଣାଇ ଆସୁଛନ୍ତି।ସାଧାରଣ ଲୋକଙ୍କର ରେଳ ବିଭାଗ ପ୍ରତି ଆଉ ସାମାନ୍ୟ ବିଶ୍ୱାସ ନାହିଁ। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଯଦି ମୁନିଗୁଡ଼ା ବାସୀଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଭୂତଳ ରାସ୍ତା ନିର୍ମାଣକୁ ନେଇ କୌଣସି ସଠିକ୍ ସକାରାତ୍ମକ ଲିଖିତ ଖବର ନଆସେ କିମ୍ବା ଦୃଷ୍ଟାନ୍ତ ମୂଳକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପ୍ରକ୍ରିୟା ତ୍ୱରାନ୍ୱିତ କରାନଯାଏ ତେବେ ବାଧ୍ୟ ହୋଇ ମଞ୍ଚ ହଜାର ହଜାର ମୁନିଗୁଡ଼ା ଜନ ସାଧାରଣଙ୍କୁ ନେଇ ସକାଳ ୭ରୁ ଯଥା ସ୍ଥାନରେ ରେଳ ରୋକ ଆରମ୍ଭ କରିବ।ଏସବୁ ଆଲୋଚନା ପରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନେ କହିଛନ୍ତି ୫ତାରିଖ ପୂର୍ବରୁ ଆପଣ ମାନଙ୍କ କାର୍ଯ୍ୟ ନିଶ୍ଚିତ ହୋଇଯିବ,ରେଳ ରୋକ କରିବାକୁ ପଡିବ ନାହିଁ। ଅନ୍ୟପଟେ ପ୍ରଗତି ମଞ୍ଚ ସଭାପତି ଶ୍ରୀ ରାଓ ଓ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପ୍ରତିକ୍ରିୟାରେ କହିଥିଲେ ଯେ ପ୍ରତିଶ୍ରୁତି ଉପରେ ଆମର ବିଶ୍ୱାସ ଅବିଶ୍ବାସ ଯାହା ଥାଉନା କାହିଁକି ଆମ୍ଭେ ମାନେ ନିର୍ଦ୍ଧାରିତ ଦିନ ରେଳ ରୋକ୍ ପାଇଁ ପ୍ରସ୍ତୁତି ଜାରି ରଖିବୁ। ସେହିପରି ମୁନିଗୁଡ଼ା ବାର ଆସୋଷେଶନ ତରଫରୁ ଯାତ୍ରୀ ସମସ୍ୟା,ଭୂତଳ ରାସ୍ତା ଓ ଷ୍ଟେସନ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନେବାକୁ ଅଧିବକ୍ତା ମନୋଜ ଚୌଧୁରୀଙ୍କ ନେତୃତ୍ବରେ,ଦୁର୍ଯ୍ୟୋଧନ ବେହେରା,ଦାମୋଦର ମହାପାତ୍ର, ମନୋଜ କୁମାର ସେଠୀଙ୍କ ସମେତ ଅନେକ ଅଧିବକ୍ତା ଉପସ୍ଥିତ ରହି ଅସନ୍ତୋଷ ପ୍ରକାଶ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ଜିଏମଙ୍କ ସହ ଆଲୋଚନା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତି ମଞ୍ଚର ଉପ ସଭାପତି ରାଜୀବ ଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଳାଇ,କୋଷାଧ୍ୟକ୍ଷ ନନ୍ଦ କିଶୋର ପଟ୍ଟନାୟକ, ଉପଦେଷ୍ଟା ପ୍ରଦୀପ ପରିଚ୍ଛା,ଜଗନ୍ନାଥ ନୁଣ୍ଡ୍ରୁକା, କାର୍ଯ୍ୟକାରିଣୀ ସଦସ୍ୟ ଶକୁନ୍ତଳା ନୁଣ୍ଡ୍ରୁକା,ସୁଦାମ ପଣ୍ଡା, ପ୍ରଭାତ ପାଣିଗ୍ରାହୀ,ଚିନ୍ତାମଣି ସାହୁ, ଆନନ୍ଦ ରାଓ,ବିଦ୍ୟାଧର ଦାସ,ଦୁଃଖିଶ୍ୟାମ ସୁବୁଦ୍ଧି, ବି.ଜୟଶଙ୍କର ପାତ୍ର,ଭି.ପ୍ରବୀଣ କୁମାର,ଟୁନା କରକରିଆ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଜୁଲାଇ ୫ ତାରିଖ ପୂର୍ବରୁ ଭୂତଳ ରାସ୍ତା କାର୍ଯ୍ୟ ଆରମ୍ଭ ନହେଲେ ରେଳରୋକ କରାଯିବ ବୋଲି ଚେତାବନୀ ଦେଇଥିଲେ।


