ଖୋଲିଲା ସ୍କୁଲ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ଗ୍ରୀଷ୍ମ ପ୍ରବହାକୁ ନେଇ ଚିନ୍ତାରେ ଅଭିଭାବକ
ହାଟଡିହି (ଓ୍ବାଇଏନଏସ): ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସରକାର ସ୍କୁଲସବୁକୁ ଆଗୁଆ ବନ୍ଦ କରିଦେଇଥିବା ବେଳେ ଦୀର୍ଘ ୨ମାସ ପରେ ଆଜିଠାରୁ ଖୋଲିଛି ସ୍କୁଲ । ଦୀର୍ଘ ମାସପରେ ସ୍କୁଲକୁ ଆସୁଥିବାରୁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇପଡିଛନ୍ତି। ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଛୁଟି ବଢ଼ାଇ ଥିବାରୁ ଆଜି କାଳେ ଛୁଟି ହୋଇଥିବ ଏନେଇ ଅଧିକାଶଂ ସ୍କୁଲରେ ଉପସ୍ଥାନ ହାର କମ ରହିଥିଲା। କିନ୍ତୁ ଆଜିବି ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ହେଉଥିବା ଯୋଗୁଁ ବିଦ୍ୟାଳୟ କର୍ତ୍ତୁପକ୍ଷ ଅଧିକ ଚିନ୍ତିତ ଓ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ଗୁଡିକରେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ସମସ୍ତ ନୀତି ନିୟମ ପାଳନ କରାଯାଇ ସ୍କୁଲ ଖୋଲା ଯାଇଥିବା ବେଳେ ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଆଜି ସ୍କୁଲ ଖୋଲିବା ନିଷ୍ପତିକୁ ଅନେକ ଅଭିଭାବକ ବିରୋଧ କରିଛନ୍ତି। ସେମାନଙ୍କ ମତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଛୁଟି କରିଥିଲେ। କିନ୍ତୁ ଆଜିବି ୩୫ ଡିଗ୍ରୀ ଉପରେ ରୌଦ୍ରତାପ ସହିତ ପ୍ରବଳ ଗୁଳୁଗୁଳି ଲାଗିରହିଛି । ଗୋଟିଏ ପଟେ ଅଧିକାଂଶ ସମୟ ବିଦ୍ୟୁତ କାଟ ହେଉଥିବା ବେଳେ ଅନେକ ବିଦ୍ୟାଳୟରେ ଫ୍ୟାନ ନଥିବାରୁ ଛାତ୍ରଛାତ୍ରୀ ମାନେ ଗୁଳୁଗୁଳିରେ ବସି ଶିକ୍ଷାଲାଭ କରିବା କଷ୍ଟକର ହେବା ଆଶଙ୍କା ଉପୁଜୁଛି ବୋଲି କହିଛନ୍ତି। ଯଦି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସକାଳିଆ ସ୍କୁଲ କରା ଯାଆନ୍ତା ତେବେ ପିଲାମାନେ ଉପଯୁକ୍ତ ଶିକ୍ଷାଲାଭ କରି ପାରନ୍ତେ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି।


