ରାସ୍ତା କଡ଼ରେ ପାର୍କିଂ କରିଥିବା ଟ୍ରକ ତଳେ ପଶିଗଲା ସ୍କୁଟି, ଚାଳକ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦ ନଗର ନିକଟରେ ବୁଧବାର ବିଳମ୍ବିତ ରାତି ରେ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡ ରେ ପାର୍କିଂ କରିଥିବା ଏକ ମାଲବାହୀ ଟ୍ରକ୍ (ନଂ. ଓଡ଼ି୦୭ ଏଭି – ୩୪୦୦) ସମ୍ମୁଖ ଭାଗ କୁ ଧକ୍କା ଦେଇ ଏକ ସ୍କୁଟି (ନଂ.ଓଡ଼ି୦୭ବିବି-୦୦୭୩) ଟ୍ରକ୍ ତଳେ ପଡିଯିବାରୁ ଚାଳକ ଗୁରୁତର ଆହାତ ହୋଇଛନ୍ତି।ଆହାତ ଙ୍କ ପରିଚୟ କିମ୍ବା ଠିକଣା ଜଣାପଡ଼ିନାହିଁ। ଏନେଇ ଥାନାରେ କୌଣସି ସୂଚନା ନଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। ସ୍କୁଟି ଚାଳକ ଜଣକ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଦ୍ରୁତଗତି ରେ ଆସୁଥିବା ବେଳେ ଅନ୍ୟ ଏକ ଗାଡ଼ି କୁ ଓଭରଟେକ୍ କରିବା ସମୟରେ ଅନ୍ୟମନସ୍କ ଭାବେ ସ୍କୁଟି ଚାଳକ ନିୟନ୍ତ୍ରଣ ହରାଇ ଟ୍ରକ୍ ତଳେ ପଶିଯାଇଥିବା ନେଇ ସ୍ଥାନୀୟ ଲୋକେ ଅନୁମାନ କରୁଥିବା କହିଛନ୍ତି। ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ରେ ବାରମ୍ବାର ଦୁର୍ଘଟଣା ଘଟି ଏକାଧିକ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ଗୁରୁତର ଆହତ ହୋଇଥିବା ନଜିର ରହିଛି।ରାସ୍ତା ଟି ନଷ୍ଟ ହେଲାଣି। ରାସ୍ତାର ଠାଏଁ ଠାଏଁ ପିଚୁ ଓ ଗୋଡ଼ି ଉଠି ଗଲାଣି।ରାସ୍ତା ଉପରେ ହମ୍ୱଲ୍ସ୍ କିମ୍ବା ସ୍ପିଡ ବ୍ରେକର ନଥିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦିଗପହଣ୍ଡି ସହର ସଂଲଗ୍ନ ମୁଖ୍ୟ ରାସ୍ତା ର ଉଭୟ କଡ଼ରେ ଅନେକ ଭାରିଯାନ ବେଆଇନ ଭାବେ ପାର୍କିଂ ହୋଇ ରହୁଛି। ଫଳରେ ରାତି ସମୟରେ ରାସ୍ତାରେ ଯାତାୟତ କରୁଥିବା ବାଇକ ଓ କାର,ଭ୍ୟାନ ଚାଳକମାନେ ଅସୁବିଧାରେ ପଡ଼ୁଥିବା ସହ ବେଳେ ବେଳେ ଦୁର୍ଘଟଣା ଘଟୁଛି।ରାସ୍ତାକଡ ଇଣ୍ଡିକେଟର ଲାଇଟ୍ ନ ଜଳାଇ ବେଆଇନ ଭାବେ ଗାଡ଼ି ମୋଟର ପାର୍କିଂ ଯୋଗୁଁ ହିଁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।ସହର ମଧ୍ୟରେ ଟ୍ରକ୍ଗୁଡ଼ିକ ରାସ୍ତା କଡ଼ରେ ଠିଆ ହୋଇ ରହୁଥିବାରୁ ପୂର୍ବରୁ ମଧ୍ୟ ଏକାଧିକ ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଦିଗପହଣ୍ଡି ସହରର ବିଭିନ୍ନ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ମୋଟର ମୋଟର ଗୁଡ଼ିକର ବେଆଇନ ପାର୍କିଂ ଉପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ କଡ଼ା ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ଯାତାୟାତ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ଦାବି ହୋଇଛି।


