ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ
ଖଲ୍ଲିକାେଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ରେ ଶକ୍ତିଶ୍ରୀ ସେଲ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. “ସଶକ୍ତ ନାରୀ ସମୃଦ୍ଧ ଭାରତ ” ଶୀର୍ଷକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ କୁଳପତି ପ୍ରଫେସର ଅସୀମା ସାହୁ। ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶକ୍ତିଶ୍ରୀ ସଂଯୋଜିକା ଡ.ଅନ୍ନପୂର୍ଣ୍ଣା ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଇ. ସି. ସି. ର ଅଧ୍ୟକ୍ଷା ଡ.ଉଷାରାଣୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ସାହୁ ନିଜର ବକ୍ତବ୍ୟରେ ସୁବିଧା ନୁହେଁ ସଂଘର୍ଷ ହିଁ ମହିଳା ସଶକ୍ତିକରଣର ମୂଳ ଭିତ୍ତି ଓ ଛାତ୍ରୀ ମାନେ ନିଜର ପାଇଁ ନିଜେ ପ୍ରଗତିର ରାସ୍ତା ଖୋଜିନେବା ପାଇଁ ଆହ୍ୱାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟନାୟକ ମହିଳା ମାନଙ୍କୁ ସଶକ୍ତ କରିବାରେ ପୁରୁଷ ମାନେ ମଧ୍ୟ ସମାନ ଭାଗିଦାର ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଡ. ବିଧୁପ୍ରଭା ରଥ ଗାଁ ଗହଳିରେ ମହିଳା ମାନଙ୍କ ପ୍ରକୃତ ସ୍ଥିତି ସମ୍ପର୍କ ରେ ପ୍ରତ୍ୟକ୍ଷ ଅନୁଭୁତି ବର୍ଣନା କରିଥିଲେ। ତଥା ନିଜ ପରିବାର ରେ ହିଁ କନ୍ୟା ମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ନିମନ୍ତେ ପରାମର୍ଶ ଦେଇ ଥିଲେ। ଶେଷରେ ଡ. ସୁସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।


