ଆଜି ବିଶ୍ୱ ବାଇସାଇକେଲ୍‍ ଦିବସ

ଆସିକା  (ୱାଇଏନ୍‍ଏସ୍‍) : ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୩ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ବାଇସାଇକେଲ୍‍ ଦିବସ । ସାଇକେଲକୁ ଏକ ସୁଲଭ ତଥା ନିର୍ଭରଯୋଗ୍ୟ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମରେ ପ୍ରୋତ୍ସାହିତ କରିବା ସାଙ୍ଗକୁ ନିୟମିତ ସାଇକେଲିଂ କରିବା ଦ୍ୱାରା ଶାରୀରିକ ବ୍ୟାୟାମ ହେବା ସାଙ୍ଗକୁ ମେଦ ବହୁଳତା ଏବଂ ହୃଦରୋଗ ଭଳି ସମସ୍ୟା ଶରୀରରୁ ଦୂର ହେବା ସାଙ୍ଗକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ୍‍ ସହାୟକ ହୋଇଥାଏ । ସାଂପ୍ରତିକ ପରିସ୍ଥିତିରେ ବର୍ତ୍ତମାନର ବ୍ୟସ୍ତମୟ ଜୀବନରେ ଶରୀରକୁ ସୁସ୍ଥ ରଖିବା ନିତାନ୍ତ ଆବଶ୍ୟକ ଜରୁରୀ ହୋଇପଡିଛି । ଏଥିପାଇଁ ଖାଦ୍ୟପେୟ ବ୍ୟତିତ ଯେଉଁ ପ୍ରମୁଖ ବିଷୟ ପ୍ରତି ଧ୍ୟାନ ଦେବାର ଅତ୍ୟନ୍ତ ଆବଶ୍ୟକତା ପଡୁଛି ତାହା ହେଉଛି ବ୍ୟାୟାମ । ସକାଳୁ ଅତି କମ୍‍ରେ ଅନ୍ୟୁନ ୧ ଘଣ୍ଟା ଚାଲିବା କିମ୍ବା କିଛି ସମୟ ନିଜର ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ସାଇକେଲିଂ କରି ବ୍ୟାୟାମ କଲେ ସୁସ୍ଥ ରହିପାରିବ ବୋଲି ବିଶ୍ୱାସ ରହିଛି । ଅତୀତରେ ଦିନ ଥିଲା ଯୌତୁକ ବାବଦରେ ଯେଉଁ ତିନୋଟି ଜିନିଷ ପ୍ରାୟତଃ ଅଧିକ ଡିମାଣ୍ଡରେ ରହୁଥିଲା ସେଥିମଧ୍ୟରୁ ସାଇକେଲ୍‍ ଓ ରେଡିଓ ଏବଂ ହାତଘଣ୍ଟା ଅନ୍ୟତମ ଥିଲା । ଏହି ୩ଟି ସାମଗ୍ରୀରୁ ଅଧିକ ଥିଲା ସାଇକେଲ୍‍ । ଝିଅର ଯୌତୁକ ସାମଗ୍ରୀ ନେବା ପାଇଁ ଉଦ୍ଦିଷ୍ଟ ଗାଡିରେ ଅତୀତରେ ବରପିଲା ପାଇଁ ବୁହା ହୋଇଯାଉଥିଲା ସାଇକେଲ୍‍ । ଏହି ସାଇକେଲ୍‍ ଥିଲା ଦୂରଦୂରାନ୍ତକୁ ଯାତ୍ରା କରିବାର ଏକମାତ୍ର ସାଥୀ । ଆଧୁନିକତାର ଛାପରେ ଏବେ ରାସ୍ତାରେ ଦେଖିବାକୁ ମିଳୁଛି ଅତ୍ୟାଧୁନିକ ଗାଡିର ଭିଡ । ଇଭି ଗାଡି ଆସିଲା ପରେ ଯାନବାହାନ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୈପ୍ଳବିକ ପରିବର୍ତ୍ତନ । ତଥାପି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଏବେ ବି ଅତୁଟ ରହିଛି ସାଇକେଲ୍‍ର ଚାହିଦା । ଦୀର୍ଘ ବର୍ଷ ତଳେ ଗୋଟିଏ ସମୟ ଥିଲା ଯେତେବେଳେ ସାଇକେଲ୍‍ ଯାହା ପାଖରେ ଥିଲା ସେ ସମାଜରେ ଧନୀ ବୋଲି ପରିଗଣିତ ହେଉଥିଲା । ସେହି ଦୃଷ୍ଟିରୁ ଆସିକା ଅଞ୍ଚଳର ଅନେକ ଲୋକଙ୍କ ପାଖରେ ନାମକରା କମ୍ପାନୀର ସାଇକେଲ୍‍ ବି ଥିଲା । ସମୟ ବଦଳିଲା ପରେ ପ୍ରଥମେ ମୋପେଡ୍‍, ସ୍କୁଟର୍‍, ରାଜ୍‍ଦୁତ୍‍ ଭଳି ଗାଡି ରାସ୍ତାରେ କିଛି ବର୍ଷ ରାଜୁତି ଜାରି ରଖିଲା । ପରେ ସମୟ ବଦଳିବା ସାଙ୍ଗକୁ ଅତ୍ୟାଧୁନିକ ଗାଡି ବଜାରକୁ ଆସିଲା । ଧିରେ ଧିରେ ସାଇକେଲ୍‍ ଯୁଗ ଏକ ରକମ ଶେଷ ହେବାରେ ଲାଗିଲା । ଏବେ ପୁରୁଣାକାଳିଆ ସାଇକେଲ୍‍ ପ୍ରାୟତଃ ଆଉ କାହା ପାଖରେ ନାହିଁ କହିଲେ ଚଳେ । ବିଗତ କିଛି ବର୍ଷ ହେଲା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବିଦ୍ୟାର୍ଥୀ ଆଧୁନିକ ଢାଞ୍ଚାରେ ପ୍ରସ୍ତୁତ ସାଇକେଲ୍‍ ଚଳାଉଥିବା ଦେଖିବାକୁ ମିଳୁଛି । ତଥାପି ସାଂପ୍ରତିକ ପରିସ୍ଥିତିରେ କିଛି ବ୍ୟକ୍ତି ସେହି ପୁରୁଣା ସାଇକେଲକୁ ସାଇତି କରି ରଖି ଚଲାଇବାର ସଉକ ଜାରି ରଖିଥିବା ଦେଖିବାକୁ ମିଳୁଛି । ସାଇକେଲରୁୁ ବାୟୁ ପ୍ରଦୂଷଣ ନଥଲା କି ଶବ୍ଦ କୋଳାହଳ ବି ନଥିଲା । ସମୟ ବଦଳିବାରେ ଲାଗିଛି ସାଇକେଲର ଅନେକ ବିକଳ୍ପ ବାହାରିସାରିଥିଲେ ସୁଦ୍ଧା ଆସିକା ଅଞ୍ଚଳରେ ସାଇକେଲର ଚାହିଦା ଏବେ ବି ସ୍ୱତନ୍ତ୍ର ରହିଥିବା ଦେଖିବାକୁ ମିଳୁଛି । କିଏ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ବି ସାଇକେଲକୁ ନିଜର ସାଥୀ କରିଛି ତ ଆଉ କିଏ ସାଇକେଲ୍‍ ଚଳାଇ ନିଜ ସଉକ ପୂରଣ କରୁଛି । ଆଜିର ଆଧୁନିକ ଦୁନିଆରେ ଗାଡି ମୋଟରର ପେଁପାଁ ଶବ୍ଦ ଭିତରେ ସାଇକେଲର କ୍ରିଂକ୍ରିଂ ଶବ୍ଦ ହଜି ନଥିବା ଦେଖିବାକୁ ମିଳୁଛି । କାହିଁ କେଉଁ ଆବାହମାନ କାଳରୁ ସର୍‍ସର୍‍ସର୍‍ ଶବ୍ଦ କରି ସାଇକେଲ ଗଡୁଛି ଓ ଗଡିଚାଲିଥିବ ବୋଲି ବହୁ ସଚେତନ ନାଗରିକଙ୍କ ମହଲରେ ଆଲୋଚିତ ହେଉଛି । ଦିନ ଥିଲା ସାଇକେଲର ଘଣ୍ଟି ବାଜିଲେ ଚିଠି ଆସିଲା ବୋଲି ଭାବି ବୋହୁଟିଏ ଘରର ଦ୍ୱାର ବାରଣ୍ଡାକୁ ଦୌଡି ଆସୁଥିଲା । ମାତ୍ର ସମୟ ସ୍ରୋତରେ ମଣିଷର ରୁଚି ଦିନକୁ ଦିନ ବଦଳିବାରେ ଲାଗିଛି । ସାଇକେଲକୁ ଛାଡି ବହୁ ବ୍ୟକ୍ତି ଦାମୀ ଗାଡି କିଣିବାର ସ୍ୱପ୍ନ ବି ଦେଖୁଛନ୍ତି । ତେବେ ଏବେ ବି ଅନେକଙ୍କ ମନରୁ ସାଇକେଲର ସଉକ କମି ନଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ