ମିଛ ମୃତ୍ୟୁ ଖବରକୁ ନେଇ ତୁମୁଳକାଣ୍ଡ, ଲୁହା ପାଇପ୍‌ରେ ଯୁବକଙ୍କୁ ଆକ୍ରମଣ

ଧାମନଗର (ଓ୍ବାଇଏନଏସ): ମିଛ ମୃତ୍ୟୁ ଖବର ପ୍ରଚାରକୁ କେନ୍ଦ୍ର କରି ଧାମନଗର ଥାନା ଅଧୀନ ରାଧାବଲ୍ଲଭପୁର ଗ୍ରାମରେ ତୁମୁଳକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ମାରଣାସ୍ତ୍ର ଓ ଲୁହା ପାଇପ୍‌ରେ ଆକ୍ରମଣ ଅଭିଯୋଗ ହୋଇଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ୪ ଜଣଙ୍କ ବିରୋଧରେ ଧାମନଗର ଥାନାରେ ମାମଲା ରୁଜୁ ହୋଇଛି।ଅଭିଯୋଗ ଅନୁଯାୟୀ, ଗତ ୧୯ ତାରିଖରେ ନନ୍ଦ ଜେନାଙ୍କ ସ୍ତ୍ରୀ ବଳରାମ ଜେନାଙ୍କ ମାଆଙ୍କୁ ତାଙ୍କ ମାଉସୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଦେଇଥିଲେ। ପରେ ଏହା ମିଛ ଖବର ବୋଲି ଜଣାପଡ଼ିବାରୁ ବଳରାମ ଏହାର କାରଣ ପଚାରିବାକୁ ନନ୍ଦଙ୍କ ନିକଟକୁ ଯାଇଥିଲେ। ଏହାକୁ ନେଇ ନନ୍ଦ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ବଳରାମ ଅଭିଯୋଗରେ ଦର୍ଶାଇଛନ୍ତି। ସେହିଦିନ ସନ୍ଧ୍ୟା ପ୍ରାୟ ୭ଟାରେ ବଳରାମ ବଜାରକୁ ଯାଉଥିବାବେଳେ କେଦାରନାଥ ନାୟକଙ୍କ ଘର ନିକଟରେ ନନ୍ଦଙ୍କ ପୁଅ କାଳିଆ ଜେନାଙ୍କ ସମେତ ଅନ୍ୟ ଦୁଇଜଣ ତାଙ୍କୁ ଅଟକାଇ ମାରଣାସ୍ତ୍ର ଓ ଲୁହା ପାଇପ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବଳରାମଙ୍କୁ ବଞ୍ଚାଇବାକୁ ତାଙ୍କ ସ୍ତ୍ରୀ ଓ ଝିଅ ପହଞ୍ଚିବାରୁ ସେମାନଙ୍କୁ ମଧ୍ୟ ଗାଳିଗୁଲଜ ସହ ମାଡ଼ ମରାଯାଇଥିବା ଅଭିଯୋଗରେ କୁହାଯାଇଛି। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ପରେ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଆହତ ବଳରାମଙ୍କ ସ୍ତ୍ରୀଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଏ ସମ୍ପର୍କରେ ବଳରାମଙ୍କ ଲିଖିତ ଅଭିଯୋଗ ଆଧାରରେ ଧାମନଗର କେସ୍‌ ନଂ ୪୦୮/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ