ଆଧାର କାର୍ଡ ସହ ମୋବାଇଲ ଫୋନ ସଂଯୋଗ ପାଇଁ ଲମ୍ବାଧାଡ଼ି
ନିମାପଡ଼ା,(ସନ୍ତୋଷ ଦାଶ):ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଘୋଷଣା କରିଥିବା ସୁଭଦ୍ରା ଯୋଜନାର ଆବେଦନ ପତ୍ର ହିତାଧିକାରୀ ମାନେ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରୁ ସଂଗ୍ରହ କରିବା ପରେ ଏହି ଆବେଦନ ପତ୍ର ଦାଖଲ କରିବାକୁ ବିଭିନ୍ନ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ମାନଙ୍କରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳୁଛି। ଏହି ଯୋଜନାରେ ସାମିଲ ହେବାକୁ ମହିଳା ଓ ଯୁବତୀ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ଆବେଦନ ପତ୍ର ସହିତ ମୋବାଇଲ ଫୋନ ସଂଯୋଗ ଥିବା ଆଧାର କାର୍ଡ ଦାଖଲ କରିବାକୁ ନିୟମ ରହିଛି। ତେବେ ଗ୍ରାମାଞ୍ଚଳର ଅଧିକାଂଶ ମହିଳା ନିଜ ଆଧାର କାର୍ଡ ସହିତ ମୋବାଇଲ ଫୋନ ସଂଯୋଗ କରି ନ ଥିବାରୁ ଚିନ୍ତିତ ହୋଇ ପଡିଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ପ୍ରଥମେ ନିଜ ଆଧାର କାର୍ଡ ସହିତ ମୋବାଇଲ ଫୋନ ନମ୍ବର ସଂଯୋଗ କରିବାକୁ ମହିଳା ମାନେ ଆଜି ସକାଳୁ ବିଭିନ୍ନ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ମାନଙ୍କରେ ଭିଡ଼ ଲଗାଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ସରକାର ଖୋଲିଥିବା ପୋର୍ଟାଲ ଖୋଲିଲେ ଆଜି ସଂଧ୍ୟାରୁ ମହିଳା ଓ ଯୁବତୀ ମାନଙ୍କ ଆବେଦନ ପତ୍ର ଦାଖଲ କରାଯିବ ବୋଲି କହିଛନ୍ତି ତୁଳସୀପୁର ଲକ୍ଷ୍ମୀ ବଜାର ରେ ଥିବା ମୋ ସେବା କେନ୍ଦ୍ର ର ପରିଚାଳକ ସରୋଜ ଦାଶ।