ଆବର୍ଜନାମୟ ତ୍ରୀର୍ଥ ପୁଷ୍କରିଣୀକୁ ପ୍ରଶାସନର ଅଣଦେଖା
ପୁରୀ,(ୱାଏନଏସ):ବିଶ୍ଵ ପ୍ରସିଦ୍ଧ ଚନ୍ଦ୍ରଭାଗା ତ୍ରୀର୍ଥ ପୁଷ୍କରିଣୀକୁ ସ୍ଥାନୀୟ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଶ୍ରଦ୍ଧାଳୁ ମାନଙ୍କ ଭାବାବେଗ ସହିତ ଜଡିତ ଏହି ପୁଷ୍କରିଣୀକୁ ପ୍ରଶାସନ ସଦା ସର୍ବଦା ଅଣଦେଖା କରୁଥିବା ନେଇ ବୁଦ୍ଧିଜୀବୀ ମାନେ ଉଦବେଗ ପ୍ରକାଶ କରିଅଛନ୍ତି। ପ୍ରତେକ୍ୟ ବର୍ଷ ମାଘମେଳା ପୂର୍ବରୁ ଏହି ତ୍ରିର୍ଥ ପୁଷ୍କରିଣୀକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଥିବା ବେଳେ ବର୍ଷ ତମାମ ଏହା ଅବହେଳିତ ହୋଇ ରହିଥାଏ। ବର୍ଷ ସାରା ଏଠାକୁ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସମେତ ଦୂରଦୁରାନ୍ତରୁ ଲୋକ ମାନେ ଆସିଥାନ୍ତି। ହେଲେ ବିଭିନ୍ନ ସମୟରେ ଏହି ପୁଷ୍କରିଣୀରେ ଅଳିଆ ଆବର୍ଜନା ପଡ଼ି ରହିବାରେ ଆଗନ୍ତୁକ ଶ୍ରଦ୍ଧାଳୁ ମାନେ ନାକ ଟେକି ଯାଉଥିବା ପରିଲକ୍ଷିତ ହୋଇଛି। ରାତି ପାହିଲେ କାର୍ତ୍ତିକ ମାସ ହୋଇଥିବା ବେଳେ ଶହ ଶହ ହବିଷ୍ୟାଳି ଏଠାରେ ଅବସ୍ଥାନ କରି ମାସ ଯାକ ରହି ବ୍ରତ କରିବେ,ହେଲେ ତ୍ରୀର୍ଥ ପୁଷ୍କରିଣୀ ଆବର୍ଜନା ଯୋଗୁଁ ସେମାନଙ୍କ ମନରେ ଆଶଙ୍କା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଆବର୍ଜନା ଯୋଗୁଁ ଚନ୍ଦ୍ରଭାଗା ତୀର୍ଥ ପାଣି ପ୍ରଦୂଷିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଛିଣ୍ଡା କାଗଜ, ଅଇଁଠା ପତ୍ର, ଛିଣ୍ଡା ଲୁଗା, ଭଙ୍ଗା ମଦ ବୋତଲ, ପଲଥିନ୍, ପାଣି ବୋତଲ, ଆଦି ଅଳିଆ ଆବର୍ଜନାରେ ତୀର୍ଥ ଭରି ରହିଛି। ସେହିପରି ବିଭିନ୍ନ ପୂଜା ପର୍ବାଣୀ ସମୟରେ ଏହି ତ୍ରିର୍ଥରେ ମୂର୍ତ୍ତୀ ବିସର୍ଜନ କରାଯାଇ ପୁଷ୍କରିଣୀ ପାଣିକୁ ଦୂଷିତ କରାଯାଉଛି।ଫଳରେ ତ୍ରିର୍ଥ ପୁଷ୍କରିଣୀର ମାହାତ୍ମ୍ୟ ନଷ୍ଟ ହେବାକୁ ଲାଗିଛି। ପୁରୀ ଜିଲ୍ଲାର ଦ୍ୱିତୀୟ ବଡ଼ ପର୍ବ ଭାବେ ମାଘ ବୁଡ଼ ଏହି ଠାରେ ଅନୁଷ୍ଟିତ ହୋଇଥିବା ବେଳେ ପ୍ରଶାସନ କେବଳ ଗୋଟିଏ ଦିନକୁ ଆଖି ଆଗରେ ରଖି କାର୍ଯ୍ୟ କରୁଥିବା ବେଳେ ବର୍ଷତମାମ ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହୋଇଛି।ପ୍ରଶାସନ ଏହି ତ୍ରିର୍ଥ ପୁଷ୍କରିଣୀକୁ ବର୍ଷ ତମାମ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉପଯୋଗୀ ରଖିବାକୁ ସ୍ଥାନୀୟ ଅଞ୍ଚଳରେ ଦାବୀ ପ୍ରକାଶ ପାଇଛି।