ଜାନୁଆରୀ ୧୯ରେ ରନ ଫର ଶିମିଳିପାଳ ଥିମରେ ଏଥର ଦୌଡିବ ମୟୂରଭଞ୍ଜ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ମାଟିର ଗର୍ବ ଏବଂ ବିଶ୍ୱ ଜୈବ ମଣ୍ଡଳର ଅନନ୍ୟ ଅବଦାନ ଶିମିଳିପାଳର ସୁରକ୍ଷା ଏବଂ ଏହାର ପ୍ରାକୃତିକ ପରିବେଷ୍ଟିନିର ଯତ୍ନ ନିମନ୍ତେ ଜନ ସଚେତନତା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ ଏବଂ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନର ମିଳିତ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ହାଫ-ମାରାଥନ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ଦିନ ଅନୁଷ୍ଠିତ ହେବ ଏବଂ ଏହି ମାରାଥନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ମାଧ୍ୟମରେ ଅନଲାଇନ କ୍ୟୁ ଆର କୋଡ଼ ସ୍କାନ କରି ଇଛୁକ ପ୍ରତିଯୋଗୀ ମାନେ ପଞ୍ଜିକରଣ କରିପାରିବେ। ସୂଚନାନୁସାରେ ଏହି ମାରାଥନ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ବାରିପଦା ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ଶିମିଳିପାଳ ପାଦ ଦେଶରେ ସ୍ଥିତ ପିଠାବଟା ଗେଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ମିନି ମାରାଥନ ଯାହା ୧୦ କିଲୋମିଟର(୧୬ ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ) ପର୍ଯ୍ୟନ୍ତ ହେଉଥିବା ବେଳେ ୨୧ କିଲୋମିଟର ପର୍ଯ୍ୟନ୍ତ (୧୮ ବର୍ଷ ବୟସ ରୁ ଉର୍ଦ୍ଧ୍ଵ ମହିଳା ପୁରୁଷ) ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ଏହି ମାସର ୧୭ ତାରିଖ ଏବଂ ବାରିପଦା ଠାରେ ରିପୋର୍ଟିଂ ସମୟ ୧୮ ତାରିଖ ବୋଲି ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏହି ପଞ୍ଜିକରଣ ବିନମୂଲ୍ୟରେ ଏବଂ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ଟି ସାର୍ଟ, ସାର୍ଟିଫିକେଟ, ଓ ମେଡାଲ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହାଫ ମାରାଥନରେ ବିଜୟୀ ପ୍ରଥମ, ଦ୍ଵିତୀୟ ଓ ତୃତୀୟ (ଉଭୟ ମହିଳା ପୁରୁଷ ବିଭାଗ)ଙ୍କୁ ଅର୍ଥରାଶି ଯଥାକ୍ରମେ ୫୦, ୦୦୦ ଟଙ୍କା, ୩୫, ୦୦୦ ଟଙ୍କା, ୨୫, ୦୦୦ ଟଙ୍କା ଥିବାବେଳେ ମିନି ମାରାଥନରେ କୃତୀ ପ୍ରତିଯୋଗୀଙ୍କୁ ୫୦୦୦ ଟଙ୍କା, ୩୦୦୦ ଟଙ୍କା ଓ ୨୦୦୦ ଟଙ୍କା ଲେଖାଏଁ ପୁରସ୍କାର ଅର୍ଥରାଶି ରଖାଯାଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପ୍ରଚେଷ୍ଟାରେ ମୟୂରଭଞ୍ଜରେ ପ୍ରଥମ ଥର ପାଇଁ ଏହି ହାଫ ମାରାଥନ ଆୟୋଜନ ହେଉଥିବାରୁ ସମସ୍ତ ପ୍ରତିଯୋଗୀଙ୍କ ସମେତ ଜନସାଧାରଣଙ୍କର ଉତ୍ସୁକତା ଦେଖାଦେଇଛି। ଏଥିସହିତ ଜିଲ୍ଲାରେ ଥିବା ଏଥଲିଟ ଏବଂ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଖେଳାଳୀ ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆସୁଛନ୍ତି । ଶିମିଳିପାଳ ବନଖଣ୍ଡ, ଶିମିଳିପାଳ ବଞ୍ଚାଅ ଫାଉଣ୍ଡେସନ, ପୋଲିସ ପ୍ରଶାସନ ଏହି ପ୍ରତିଯୋଗିତାରେ ବିଶେଷ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ମୟୂରଭଞ୍ଜ ଏଥଲେଟିକ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର କ୍ରୀଡା ଅନୁଭାଗ ଏଥିପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସଂଯୋଜନା କରୁଛନ୍ତି। ଏହି ମାରାଥନର ନୋଡାଲ ଅଧିକାରୀ ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶୁଭାଶିଷ ନାୟକ ସମସ୍ତ ସଂଚାଳନ କାର୍ଯ୍ୟ ବ୍ୟବସ୍ଥାପନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ