ପରିବହନ ବିଭାଗର ଏକକାଳୀନ ଟିକସ ପୈଠ ଉପରେ ରିହାତି ଯୋଜନା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ମୋଟର ଯାନ ପାଇଁ ଟିକସ ବାକି ରହି ଥିବାରୁ ଗାଡି ନଚଳାଇ ପାରୁଥିବା ମାଲିକଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ହାତକୁ ନିଆଯାଇଛି । ଏ ନେଇ ଏକ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ,ଟିଆଇ ସୁକୁରାମ ସୋରେନ,କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ପଦ୍ମଲୋଚନ ସାହୁ,ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ,ଉପ ସଭାପତି ନିଶିଥ ରଞ୍ଜନ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଅୟେଶକାନ୍ତ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏକକାଳୀନ ଟିକସ ପୈଠ ରିହାତି ଯୋଜନାର ସୁବିଧା ନେବାକୁ ଉପସ୍ଥିତ ଟ୍ରକ ମାଲିକମାନଙ୍କୁ କହିଥିଲେ । ଯେଉଁ ଟ୍ରକ ମାଲିକମାନେ ଦୀର୍ଘ ବର୍ଷ ହେବ ଟିକସ ପଇଠ କରି ନାହାଁନ୍ତି ତାହାର ଏକ ତାଲିକା ଟ୍ରକ ମାଲିକ ସଂଘକୁ ପ୍ରଦାନ କରାଯାଇଥିଲା । ଏକକାଳୀନ ଟିକସ ପୈଠ ଉପରେ ରିହାତି ଯୋଜନା ଡିସେମ୍ବର ୨୪ ତାରିଖରେ ଶେଷ ହେବ । ଏହି ସ୍କିମର ସୁବିଧା ନେଇ ଏକକାଳୀନ ବକେୟା ଟିକସ ପୈଠ କରିବାକୁ ଆରଟିଓ କହିଥିଲେ । ଟିକସ ପଇଠ ପରେ ଯେଉଁ ଟ୍ରକ ମାଲିକ ଗାଡି ଚଲାଇବେ ନାହିଁ ସେମାନେ ଟ୍ରକକୁ ସ୍କ୍ରାପିଂ ସେଂଟରରେ ଦେଇ ପୁଣି ନୂଆ ଗାଡି କିଣିଲେ ସବ୍ସିଡି ପାଆନ୍ତୁ । ଏହା ଦ୍ୱାରା ପରିବେଶର ସୁରକ୍ଷା ସହିତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ରିହାତି ପାଇପାରିବେ । ରାଜ୍ୟ ସରକାର ଏହି ଯୋଜନାରେ ଯେଉଁମାନେ ନିଜ ଗାଡିର ଟିକସ ୩୧/୦୩/୨୦୨୨ ମସିହା ମାର୍ଚ୍ଚ ସୁଦ୍ଧା ଦାଖଲ କରିନାହାନ୍ତି, ସେମାନଙ୍କ ପାଇଁ ପରିବହନ ବିଭାଗ ଏକକାଳୀନ ଟିକସ ପୈଠ ଉପରେ ରିହାତି ଯୋଜନା ଆରମ୍ଭ କରିଛନ୍ତି । ଯେଉଁମାନେ ଗାଡି ପଞ୍ଜିକରଣ ସମୟରେ ଏକକାଳୀନ ଟିକସ ପ୍ରଦାନ କରୁଛନ୍ତି, ସେମାନଙ୍କ ପାଇଁ ଏହି ଯୋଜନାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଯେଉଁ ଗାଡି ମାଲିକମାନେ ବାର୍ଷିକ କିମ୍ବା ତ୍ରୟମାସିକ ଟିକସ ପ୍ରଦାନ କରୁଛନ୍ତି ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଏହା ଗତବର୍ଷ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଡିସେମ୍ବର ୨୪ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି । ଏହି ସମୟସୀମା ମଧ୍ୟରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମାଲିକମାନଙ୍କୁ ସମସ୍ତ ବକେୟା ଟିକସ ଦାଖଲ କରିବାକୁ ସଚେତନ କରାଯାଉଛି । ଏହିକ୍ରମରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର,ଘଷିପୁରା,ଯୋଡା,ବଡବିଲ,ବାମେବାରୀ,ସଦର ଉପଖଣ୍ଡରେ ସ୍ୱତନ୍ତ୍ର ଶିବିର ଆୟୋଜିତ ହେଉଛି । ଯଦି ସମସ୍ତ ଟିକସ ଦାଖଲ କରି ଜଣେ ପୁଣି ଗାଡି ଚଳାଇବା ପାଇଁ ଚାହାଁନ୍ତି ତେବେ ସେମାନଙ୍କୁ କୌଣସି ଅତିରିକ୍ତ ଜରିମାନା ଦେବାକୁ ପଡିବନି । ଏଥିସହ ଗାଡିକୁ ସ୍କ୍ରାପ କରିବାକୁ ଚାହୁଁଥିଲେ ତାଙ୍କୁ ମଧ୍ୟ ଟିକସ ଏବଂ ଜରିମାନା ଉଭୟ ସଂପୂର୍ଣ୍ଣ ଛାଡ ହେବ । ଯଦି ପୂର୍ବରୁ କେହି ପରିବହନ ବିଭାଗର ଅନୁମତି ନ ନେଇ ସ୍କ୍ରାପ କରିଛନ୍ତି ତେବେ ସେମାନେ ଏ ସଂକ୍ରାନ୍ତରେ ଏକ ସତ୍ୟପାଠ ଦାଖଲ କଲେ ତାଙ୍କର ମଧ୍ୟ ଟିକସ ଜରିମାନା ଛାଡ ହେବ ବୋଲି ସୂଚନା ମିଳିଛି । ବିଶେଷ କରି ଚାଷ କାର୍ଯ୍ୟରେ ନିୟୋଜିତ ହେଉଥିବା ଟ୍ରାକ୍ଟର ଭଳି ଗାଡି ଗୁଡିକ ବକେୟା ଟିକସକୁ ପୈଠ କରିବାରେ ସୁବିଧା ପାଇଁ ୩ ହଜାର ଟଙ୍କାରେ ସମାଧାନ କରାଯାଉଛି । ଫଳରେ ଆଉ ସେମାନଙ୍କୁ ଟିକସ ପ୍ରଦାନ କରିବାକୁ ପଡିବ ନାହିଁ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ସରକାରୀ ଅନୁମୋଦିତ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପିଂ କରି ସାର୍ଟିଫିକେଟ ଅଫ୍ ଡିପୋଜିଟ୍(ସିଓଡି) ସଂଗ୍ରହ କରିପାରିବେ । ନୂଆ ଗାଡି ପଞ୍ଜୀକରଣ ସମୟରେ ସିଓଡି ଦାଖଲ କଲେ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ମିଳିପାରିବ । ବାଣିଜି୍ୟକ ଗାଡିରେ ଟିକସର ୧୫ ପ୍ରତିଶତ ରିହାତି ୮ ବର୍ଷ ପର୍ଯ୍ୟନ୍ତ,ଅଣବାଣିଜି୍ୟକ ଗାଡିରେ ଟିକସରେ ୨୫ ପ୍ରତିଶତ ରିହାତି,ପଞ୍ଜୀକରଣ ପ୍ରମାଣପତ୍ର ବାବଦରେ କୌଣସି ମୂଲ୍ୟ ଦେବାକୁ ହୋଇ ନଥାଏ । ନୂଆ ଗାଡି ମୂଲ୍ୟରେ ମୋଟର ଯାନ କମ୍ପାନୀ ପକ୍ଷରୁ ୫ ପ୍ରତିଶତ ରିହାତିର ସୁଯୋଗ ନେବାକୁ କୁହାଯାଇଛି । କେନ୍ଦୁଝର ଜିଲ୍ଲାରେ ମୋଟ ୫୧୨ ଜଣ ଗାଡି ମାଲିକ ଏହାର ସୁବିଧା ନେଇ ସାରିଲେଣି । ମାଲିକମାନଙ୍କୁ ନିୟମିତ ଏ ସଂପର୍କରେ ଫୋନ ଯୋଗେ ଅବଗତ କରାଯିବା ସହ ଚଳିତ ମାସରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଶିବିର ଆୟୋଜିତ ହେଉଥିବା ଆଂଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି । ସରକାରଙ୍କ ଏହି ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବା ପରେ ଦୀର୍ଘଦିନ ଧରି ବକେୟା ଟିକସ ରହିଥିବା ଗାଡି ଗୁଡିକ ବିନା ଜରିମାନାରେ ଟିକସ ପ୍ରଦାନ କରୁଥିବାରୁ ଏକକାଳୀନ ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁଛି ।