ପ୍ରତିଶ୍ରୃତି ରକ୍ଷା କଲେ ଗଜପତି ଏସପି ସାରା ଶର୍ମା
ପୋଷ୍ୟ ଗାଁ ସିଣ୍ଡିବୁର ଗ୍ରାମବାସୀଙ୍କ ଠାରେ ଆନନ୍ଦର ଲହରୀ
ପାରଳାଖେମୁଣ୍ଡି, ୨୩ା୦୬(ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ଏସପି ସାରା ଶର୍ମା ଗତ ୧୨ ତାରିଖ ଦିନ ଏହି ଜିଲ୍ଲାର ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ରୁପେ ଗ୍ରହଣ କରି ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ ଓ ସେମାନଙ୍କ ଉନ୍ନତିର ସମସ୍ତ ଦାୟୀତ୍ୱ ଗ୍ରହଣ କରିଥିଲେ । ଏହାର ମାତ୍ର ୧୦ଦିନ ମଧ୍ୟରେ ଏସପି ସାରା ଶର୍ମା ନିଜର ପ୍ରତିଶ୍ରୃତି ରକ୍ଷା କରିଛନ୍ତି । ପ୍ରଥମ ଦଫାରେ ଗତ ୧୨ତାରିଖ ଦିନ ସିଣ୍ଡିବୁର ଗ୍ରାମବାସୀମାନେ କେତେକ ଆବଶ୍ୟକୀୟ ସାମଗ୍ରୀର ଚିଠା ଏସପିଙ୍କୁ ଦେଇଥିଲେ । ଏହି ଚିଠା ଅନୁଯାୟୀ ଗଜପତି ଏସପି ପ୍ରାଥମିକତା ଭିତ୍ତିରେ ପୋଷାକ, ବାସନକୁସନ, ଛତା, ଚପଲ, ଟେବୁଲ୍, ଚେୟାର, ବହି, ଖାତା ଓ କଲମ ଆଦି ସାମଗ୍ରୀ ଗତକାଲି ସିଣ୍ଡିବୁର ଗ୍ରାମରେ ପହଞ୍ଚି ଲୋକଙ୍କୁ ବଣ୍ଟନ କରିଥିଲେ । ମାଗଣା ସ୍ୱାସ୍ଥ୍ୟ ଶିବିର ଏହି ଅବସରରେ ଏସପି ଆୟୋଜନ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ େଓøଷଧ ପ୍ରଦାନ କରିଥିଲେ । ସିଣ୍ଡିବୁର ଗ୍ରାମବାସୀ ପ୍ରଥମେ ଏସପି ସାରା ଶର୍ମାଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟ ବାଦ୍ୟରେ ଗ୍ରାମକୁ ପାଛୋଟି ନେଇଥିଲେ । ଏ ନେଇ ସାରା ଶର୍ମା କହିଛନ୍ତି, ସିଣ୍ଡିବୁର ଗ୍ରାମରେ ୧୯ଗୋଟି ପରିବାରରେ ୧୨୦ ଜଣ ଗ୍ରାମବାସୀ ବସବାସ କରନ୍ତି । ଏମାନଙ୍କ ଉନ୍ନତି ପାଇଁ ମୁଁ ଏହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ନେଇଛି । ଏମାନଙ୍କ ସର୍ବବିଧ ଉନ୍ନତି ପାଇଁ ମୋର ଚେଷ୍ଟା ଚାଲୁ ରହିବ । ଏହି ଗ୍ରାମରେ ଭୁସ୍ପଳନର ଭୟ ଥିବାରୁ ପାହାଡ ଉପରୁ ଗ୍ରାମକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ଜଣାଇଛି । ଏହି ପୋଷ୍ୟ ଗ୍ରାମ ଲୋକଙ୍କ ଉନ୍ନତି ପାଇଁ ମୋତେ ସହୋଯାଗ କରିଥିବା କିଛି ବଦାନ୍ୟ ବ୍ୟକ୍ତି,ହିଦାୟାତୁଲ୍ଲା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମୁଁ ସାଧୁବାଦ ପ୍ରଦାନ କରୁଛି । ଅତ୍ୟାବଶ୍ୟକ ସାମଗ୍ରୀ ଗ୍ରହଣ କରି ସିଣ୍ଡିବୁର ଗ୍ରାମବାସୀମାନେ ଅତ୍ୟନ୍ତ ଆନନ୍ଦର ସହ କହିଛନ୍ତି,ଭଗବାନ ଆମ ସମସ୍ୟାର ସମାଧାନ ପାଇଁ ଏସପି ମାଆଙ୍କୁ ଆମକୁ ପ୍ରଦାନ କରିଛନ୍ତି । ବହୁ ଉଚ୍ଚ ପଦବୀରେ ନିଜ କର୍ତ୍ତବ୍ୟକୁ ପାଳନ କରିବା ସହ ଆମର ଉନ୍ନତି ପାଇଁ ଦୁର୍ଗମ ପାହାଡ ଘେରା ଅଞ୍ଚଳରେ ଥିବା ଆମ ଗ୍ରାମକୁ ପାଦଚଲାରେ ପହଞ୍ଚି ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସାହାର୍ଯ୍ୟର ହାତ ପ୍ରଦାନ କରିଥିବାରୁ ଏସପି ମାଆଙ୍କ ଠାରେ ଆମେ ଚିର ଋଣି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲ୍ା ଏଏସପି ସୀତାରାମ ଶତପଥୀ, ସେରଙ୍ଗ ଥାନା ଅଧିକାରୀ ପି.ସ୍ୱରୁପ କିଶାନ, ଆକାଂକ୍ଷା ମହିଳା ଅନୁଷ୍ଠାନର ସଭାନେତ୍ରୀ ମୀନାକ୍ଷୀ ସାହୁ, କୋଷାଧ୍ୟକ୍ଷା ତନୁଜା ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।