ବିଜେପି ର କନ୍ଧମାଳ ଲୋକସଭା ଆସନ ଆମଦାନୀ ନେତାଙ୍କୁ ନା କହିବା ସହ ଜିଲ୍ଲାର ଦକ୍ଷ ନେତାଙ୍କୁ ଦିଆଯାଉ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଲୋକସଭା ଆସନରେ ବିଜେପିର ବାରମ୍ବାର ପରାଜୟ ଓ ଏହା ପଛର କାରଣ ନେଇ କନ୍ଧମାଳ ଜିଲ୍ଲା ବିଜେପି ଶିବିରରେ ମାନସମନ୍ଥନ ଚାଲିଛି। କନ୍ଧମାଳ ଜିଲ୍ଲା ବାହାରୁ ସାଂସଦ ପ୍ରାର୍ଥୀ ପ୍ରଥାକୁ ବିରୋଧ କରି ଜିଲ୍ଲାର ଶତାଧିକ ଛାମୁଆ ବିଜେପି କର୍ମୀ ଓ ନେତା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏକ ଗୁପ୍ତ ଚିଠି ଲେଖିଛନ୍ତି ।ବିଜେପି-ବିଜେଡି ମେଣ୍ଟ ଶାସନରେ କନ୍ଧମାଳ ଲୋକସଭା ଆସନଟି ବିଜେଡି ଭାଗରେ ଥିଲା। ୨୦୦୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏଠାରେ ବିଜେପି ଲୋକସଭା ପ୍ରାର୍ଥୀ ଦେଉ ନଥିଲା । କିନ୍ତୁ ମେଣ୍ଟ ଭାଙ୍ଗିବା ପରଠୁ ବିଜେପି ନିୟମିତ ପ୍ରାର୍ଥୀ ଦେଇ ହାରୁଛି| ବାହାର ଅଞ୍ଚଳର ନେତାଙ୍କୁ ପ୍ରାର୍ଥୀ କରାଯିବା ଏହା ପଛର କାରଣ ବୋଲି ସ୍ଥାନୀୟ ନେତୃବୃନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୬ ମସିହାରେ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ସଞ୍ଜିତ ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା । ମାତ୍ର ୬୬ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲା । ଏହାପରେ ମେଣ୍ଟ ଯୋଗୁଁ ୨୦୦୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଏଠାରୁ ପ୍ରାର୍ଥୀ କରିପାରି ନଥିଲା। ୨୦୦୯ରେ ବିଜେପି ଅଶୋକ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ସେହିଭଳି ୨୦୧୪ରେ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ସେବର୍ଷ ମୋଦୀଙ୍କ ହାୱା ପ୍ରବଳ ଥାଇ ବି ବିଜେପି ସଫଳ ହୋଇପାରିଲା ନାହିଁ । ୨୦୧୪ରେ ସାଂସଦ ହେମେନ୍ଦ୍ର ସିଂଙ୍କ ପରଲୋକ ପରେ ଉପନିର୍ବାଚନରେ ବିଜେପି ରୁଦ୍ର ମାଧବ ରାୟଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ହାରିଥିଲେ । ୨୦୧୯ରେ ବିଜେପି ଖାରବେଳ ସ୍ବାଇଁଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବି ପରାଜିତ ହେଲେ । କନ୍ଧମାଳ ଲୋକସଭା ପାଇଁ ବିଜେପିରୁ ଆଶାୟୀ ପ୍ରାର୍ଥୀଙ୍କର ତାଲିକା ଲମ୍ବି ଚାଲିଛି। ଆସ୍ଏସ୍ଏସ୍ରୁ ଆସିଥିବା ପ୍ରଣବ ନାୟକ, ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତି (ବନଭାଇ)ଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିଭଳି ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ନୟାଗଡ଼ର ନେତା ସୁକାନ୍ତ ପାଣିଗ୍ରାହୀ ଏବଂ ବୌଦ୍ଧ ଜିଲ୍ଲାର ବିଜେପି ନେତା ଶିଶିର କୁମାର ଘୋଷଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।ଏ ଭଳି ଚର୍ଚ୍ଚା ମଧ୍ୟରେ ଦଳ ଭାବି ଚିନ୍ତି ଜିଲ୍ଲା ଭିତର ଭଲ ପୁରୁଖା ଦଳୀୟ ଦକ୍ଷ ନେତାଙ୍କୁ ଦେଲେ ଆଶାନୁରୂପ ଫଳାଫଳ ଆସିପାରିବ ବୋଲି ରାଜନୈତିକ ବ୍ୟକ୍ତି ବିଶେଷ ମାନେ ମତ ପ୍ରକାଶ କରିଛନ୍ତି l