ବ୍ଯବସାୟୀଙ୍କ ପରଲୋକ ପରିବାର ଲୋକଙ୍କ ସହମତିରେ ଚକ୍ଷୁଦାନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ସହରର ରାଣୀ ସାହିରେ ରହୁଥିବା ବିଶିଷ୍ଟ ବ୍ଯବସାୟୀ ଲାଡି. ପ୍ରକାଶ ପାତ୍ର (୮୫)ଙ୍କ ପରଲୋକ ହୋଇଯାଇଛି।ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ। ଶୁକ୍ରବାର ଅପରାହ୍ନ ରେ ତାଙ୍କ ଆକସ୍ମିକ ବିୟୋଗ ଘଟିଛି। ଜଣେ ମେଳାପୀ ଓ ଆଧ୍ୟାତ୍ମିକବାଦୀ ବ୍ଯକ୍ତି ଭାବେ ସେ ସହରରେ ଜଣାଶୁଣା ଥିଲେ। ପ୍ରକାଶଙ୍କ ବିୟୋଗ ଖବରପାଇ ତାଙ୍କ ବାସଭବନରେ ବହୁ ଗଣ୍ଯମାନ୍ଯ ବ୍ଯକ୍ତି ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘର ସଭାପତି ଭି. ଧର୍ମାରାଜୁଙ୍କ ସହଯୋଗରେ ବ୍ରହ୍ମପୁର ଏମକେସିଜି ଚକ୍ଷୁ ବିଭାଗର ଡା. ପିନାକୀ ଶତପଥୀ ଏବଂ ଡା. ସ୍ମୃତିରଞ୍ଜନ ଦାସ ପ୍ରକାଶଙ୍କ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କ ସହମତି ରେ ଚକ୍ଷୁ ସଂଗ୍ରହ କରିଥିଲେ।ପରେ ମୃତଦେହକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା।ଏକମାତ୍ର ପୁଅ ସନ୍ତୋଷ ମୁଖାଗ୍ନି ଅର୍ପଣ କରିଥିଲେ। ମୃତ୍ୟୁ ପରେ ଚକ୍ଷୁଦାନ ଭଳି ମହତ କାର୍ଯ୍ଯକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।