ରେଲୱେ ସାଇଡିଂକୁ ସଗରା ପଞ୍ଚାୟତବାସୀଙ୍କ ବିରୋଧ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ସଗରା ପଞ୍ଚାୟତରେ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ରେଲୱେ ସାଇଡିଂ ନିର୍ମାଣକୁ ନେଇ ସଗରା ପଞ୍ଚାୟତରେ ତୁମୁଳକାଣ୍ଡ ଘଟିଛି।ହାତ ଗଣତି କେତେଜଣ ଏହାକୁ ସମର୍ଥନ କରୁଥିବା ବେଳେ ସପକ୍ଷବାଦୀ ଓ ବିରୋଧକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା।ପରେ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।ସକାଳ ୮ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୀର୍ଘ ୮ଘଣ୍ଟାଧରି ଲୋକେ ପଞ୍ଚାୟତ ଅଫିସ ସମ୍ବୁଖରେ ରେଲୱେ ସାଇଡିଂ ବିରୋଧରେ ନାରାବାଜି କରିଥିଲେ।ପରେ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଭୁଲ ମାଗିବାରୁ ଅବସ୍ଥା ଶାନ୍ତ ପଡିଥିଲା।ସୁନ୍ଦରଗଡ ଜିଲ୍ଲା ସୀମାନ୍ତବର୍ତ୍ତୀ ବାମରା ବ୍ଲକ ସଗରା ରେଳ ଷ୍ଟେସନକୁ ଲାଗି ସାଇଡିଂ ପାଇଁ କମ୍ପାନୀ ପକ୍ଷରୁ ପ୍ରାୟ ବର୍ଷେ ହେବ କାମ ଆରମ୍ଭ କରିଛି।ଏଥିନିମନ୍ତେ କମ୍ପାନୀ ପଞ୍ଚାୟତ କିମ୍ବା ପ୍ରଶାସନର ବିନା ଅନୁମତିରେ କାର୍ଯ୍ୟ କରୁଥିବାରୁ ପଞ୍ଚାୟତବାସୀ ଏହାର ବିରୋଧ କରିଥିଲେ।କମ୍ପାନୀର ମନମୂଖି କାର୍ଯ୍ୟ ଯୋଗୁଁ ଜଙ୍ଗଲ ନଷ୍ଟ,ରାସ୍ତାଘାଟ ଖରାପ,ପରିବେଶ ପ୍ରଦୂଷଣସହ ଚାଷ ଜମି ନଷ୍ଟ ହେବା ଆଶଙ୍କାରେ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିସ୍ପୋରଣ ହୋଇଥିଲା।ଏନେଇ ପଞ୍ଚାୟତ ପକ୍ଷରୁ ସରପଞ୍ଚ ସୋମବାର ଏକ ସ୍ୱତନ୍ତ୍ର ଗ୍ରାମସଭା ପାଇଁ ନୋଟିସ କରିଥିଲେ।ହେଲେ ଏହା ହଠାତ ବାତିଲ ହେବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇ ପଞ୍ଚାୟତ ଅଫିସ ସମ୍ବୁଖରେ ଏକତ୍ରୀତ ହୋଇ ସରପଞ୍ଚଙ୍କୁ ଡାକିଥିଲେ।ମାତ୍ର ଲୋକଙ୍କ ଅସନ୍ତୋଷ ଖବରପାଇ ସରପଞ୍ଚ ପଞ୍ଚାୟତକୁ ଦୀର୍ଘ ସମୟଧରି ଆସିନଥିଲେ।ଖବରପାଇ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ,ଗୋବିନ୍ଦପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ।ପରେ ଅପରାହ୍ନରେ ସରପଞ୍ଚ ଗୋଲାପି ବାଘ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସୁରକ୍ଷା ଦୃଷ୍ଟିରୁ ଗ୍ରାମସଭାକୁ ବାତିଲ କରିଥିବା କହି ଭୁଲ ମାଗିଥିଲେ। ଯେହେତୁ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପୋଲିସ ପକ୍ଷରୁ ସୁରୁକ୍ଷା ବ୍ୟବସ୍ଥା ସମ୍ଭବପର ନହେବାରୁ ଏହି ଗ୍ରାମସଭା ବାତିଲ କରିବାକୁ ପଡିଥିବା ଏସଡିପିଓ ଦାସ କହିଥିଲେ।ପରୀକ୍ଷା ପରେ ଗ୍ରାମସଭା ପାଇଁ ତାରିଖ ଧାର୍ଯ୍ୟ କରାଯିବ ଏବଂ ସେପର୍ଯ୍ଯନ୍ତ କମ୍ପାନୀର କାର୍ଯ୍ୟ ବନ୍ଦ ପାଇଁ ପ୍ରତିଶୃତି ଦେବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା।ପ୍ରକାଶ ଥାଉକି,ଜେଏସଡବ୍ଲୁ କମ୍ପାନୀ ସୁନ୍ଦରଗଡ ଜିଲ୍ଲା କୁତ୍ରାଠାରେ ଏକ ପ୍ଲାଣ୍ଟ କରିଛି।ଯେହେତୁ କୁତ୍ରାରୁ ସଗରା ରେଳ ଷ୍ଟସନ ପାଖ ହେଉଥିବା ଦୃଷ୍ଟିରୁ ସଗରାଠାରେ ସାଇଡିଂ ପାଇଁ କାର୍ଯ୍ୟ ଆରମ୍ଭ କରିଛି।ସଗରାରେ ଟ୍ରେନରୁ କୋଇଲା ପଥର କୁତ୍ରା ପ୍ଲାଣ୍ଟକୁ ଯିବା ଓ ସେଠାରୁ ନିର୍ଗତ କ୍ଲିଙ୍କର ପାଉଁଶ ଆସି ପୁଣି ଟ୍ରେନରେ ପରିବହନ କରିବା ଉଦ୍ଦେଶ୍ୟରେ ଜେଏସଡବ୍ଲୁ କମ୍ପାନୀ ଏଠାରେ ସାଇଡିଂ ନିର୍ମାଣ କରୁଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି।ସଗରାରେ କମ୍ପାନୀ ସାଇଡିଂ କରିବା ଦ୍ବାରା ପରିବେଶ ପ୍ରଦୂଷଣ ସହ ଜଙ୍ଗଲ ନଷ୍ଟ ହୋଇ ପଞ୍ଚାୟତର ସଗରା,ଲୁହୁରାବେର୍ଣ୍ଣି,ଫଟାଟାଙ୍ଗର,ମୁଣ୍ଡଲସା ଆଦି ରାଜସ୍ୱ ଗ୍ରାମ ପ୍ରଭାବିତ ହେବ ବୋଲି ଲୋକେ ଏହାକୁ ବିରୋଧ କରୁଥିବା କୁହାଯାଉଛି।ସଗରା ଗ୍ରାମ୍ଯ ଉନ୍ନୟନ କମିଟି ସଭାପତି ସନ୍ତୋଷ ନାୟକ,ନାଏବ ସରପଞ୍ଚ ଦିଲିପ ସାହୁ,ସୌରଭ ପ୍ରଜାପତି,ଭାସ୍କର ଚନ୍ଦ୍ର କଂସାରୀ,ପଙ୍କଜ କଂସାରୀ,ସଞ୍ଜୟ ସାହୁ,ଅମର ତିର୍କୀ, ସଞ୍ଜୟ ବାଡା,ସରୋଜ ଭଇଁଷା,ସଞ୍ଜିବ ପୋଢ, ବୀଣାପାଣି ନାଏକ,ରଶ୍ମିରେଖା ସାହୁ,ଜୁଲିଆ ଓରାମ ପ୍ରମୁଖ କମ୍ପାନୀ ବିରୋଧର ନେତୃତ୍ବ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ